୪ ଦିନ ପୂର୍ବରୁ ଉଠିଲା ୩ ରଥର ୪ ନାହାକା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବାର ବିଧି ରହିଥିବା ବେଳେ ଚଳିତବର୍ଷ ସ୍ନାନପୂର୍ଣ୍ଣିମାକୁ ୪ ଦିନ ବାକିଥିବା ବେଳେ ଆଜି ତିନି ରଥ ଉପରକୁ ଉଠିଛି ତିନି ନାହାକା । ଫଳରେ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ତାହା କରା ନ ଯାଇ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରମ୍ପରା ଉପରେ ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି । ଶୁକ୍ରବାର ତିନିରଥର ଚାରିନାହାକା ଉଠାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ମହାପ୍ରଭୁଙ୍କ ତିନିରଥ ଚକ ଡେରା ସରିବା ପରେ ଦଣ୍ଡା ସ୍ଥାପନ କରାଯାଇଥିଲା । ତିନିରଥର ପୋଖରିଆରେ ଆଗୁଆଣି, ପଛୁଆଣି ମୁହାଁଟ ସ୍ଥାପନ କରାଯାଇଥିଲା । ଗରଗରା ପଡ଼ି ସାରିଲା ପରେ ଗୟଳମୋଡ଼ା ଆରମ୍ଭ ହୋଇଥିଲା । ଏଥିସହିତ ପ୍ରତି ରଥ ଅଖ ଉପରେ ଟାଣ ସଂଯୋଗ କରାଯାଇଥିଲା । ଟାଣ ଲାଗିବା ପରେ ଗୟଳ କଣ୍ଟା ପଡ଼ିଥିଲା । ଗୟଳ ଉପରେ ଫାଳି ପକାଯାଇଥିଲା । ଆଜି ଅନକୂଳ ହୋଇ ଗରଗରା ଉପରେ ଚାରିନାହାକା ସ୍ଥାପନ କରାଯାଇଥିଲା । ଏହି ସମୟରେ ଭୋଇସେବକଙ୍କ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରଥଖଳା । ରଥର ଚାରିନାହାକା ଉପରେ ସମସ୍ତ ଭାର ରହିଥାଏ । ଏହିଦୃଷ୍ଟିରୁ ରଥର ଚାରିନାହାକା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାପରେ ପାଶ୍ୱର୍ନିରାଡି ଉଠାଯିବା ସହ ଗୁଜ, ଜଳଯନ୍ତ୍ର ସ୍ଥାପନ କରାଯାଇଥିଲା । ସେହିପରି ଦୋଳବେଦୀ କୋଣସ୍ଥିତ ଅସ୍ଥାୟୀ କମାରଶାଳରେ ତିନି ରଥ ନିମନ୍ତେ ଓଝା ସେବକମାନେ ଭାଗ, ଚଉତା, ଯୋଖା କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି ।