ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ, ୯ା୬: ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ତାରିଖ ଗୁରୁବାର ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ଚଳିତ ମାସ ୧୫ ତାରିଖ ଦିନ ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ ୨୯ । ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ହେବ । ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ଜୁଲାଇ ୨ । ନାମାଙ୍କନ ପାଇଁ ୧୫ ହଜାର ଟଙ୍କା ଜମା କରିବାକୁ ହେବ । ଏକାଧିକ ପ୍ରାର୍ଥୀ ହେଲେ ଜୁଲାଇ ୧୮ରେ ଭୋଟିଂ ହେବ ଏବଂ ଜୁଲାଇ ୨୧ରେ ମତ ଗଣନା ଶେଷ ହେବା ସହ ନୂଆ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ । ରାଜ୍ୟସଭା ମହାସଚିବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ୨୦୧୭ରେ ଚତୁର୍ଦ୍ଦଶ ରାଷ୍ଟ୍ରପତି ରୂପେ ନିର୍ବାଚିତ ରାମନାଥ କୋବିନ୍ଦଙ୍କ ୫ବର୍ଷର କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି । ନୂଆ ରାଷ୍ଟ୍ରପତି ତା’ପରଦିନ ଶପଥ ଗ୍ରହଣ କରିବେ ।
ସିଇସି କହିଛନ୍ତି, ଏଥର ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ୨୩୩, ଲୋକସଭାର ୫୪୩ (ମୋଟ୍ ୭୭୬ ସାଂସଦ) ଓ ୪୦୩୩ ବିଧାୟକ ଏପରି ସର୍ବମୋଟ୍ ୪୮୦୯ ମତଦାତା ଭୋଟ୍ ଦେବେ । ଏ ସମସ୍ତଙ୍କ ମୋଟ୍ ଭୋଟ୍ ମୂଲ୍ୟ ୧୦୮୬୪୩୧ ।
ଉଲ୍ଲେଖଯୋଗ୍ୟ ଯେ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏବେ ୫୪୦ ସଦସ୍ୟ ଅଛନ୍ତି । ଖାଲି ପଡିଥିବା ୩ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ସବୁ ରିକ୍ତ ଆସନ ପାଇଁ ଉପନିର୍ବାଚନ ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ହୋଇଯିବ । ଜମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇଥିବାରୁ ଏହି କେନ୍ଦ୍ରଶାସିତ ପ୍ରଦେଶ ଏଥର ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ନିୟମାନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ରାଜ୍ୟସଭାର ୧୨ ସାଂସଦ ଏବଂ ବିଧାନ ପରିଷଦ ସଦସ୍ୟମାନେ ଭୋଟ୍ ଦେଇପାରିବେ ନାହିଁ ।
ସିଇସି କହିଛନ୍ତି, କୌଣସି ଦଳ ଭୋଟିଂ ଉପରେ ହୁଇପ୍ ଜାରି କରିପାରିବେ ନାହିଁ । ମତଦାନ ଗୁପ୍ତ ବାଲଟ୍ ଜରିଆରେ ହେବ । ବିଧାୟକ ଓ ସାଂସଦମାନେ ଆୟୋଗଙ୍କ ପକ୍ଷରୁ ଦିଆଯିବାକୁ ଥିବା ବିଶେଷ ଧରଣର କାଳି ଥିବା କଲମ ହିଁ ବ୍ୟବହାର କରିବେ । ଅନ୍ୟ କଲମ ବ୍ୟବହାର କଲେ ସମ୍ପୃକ୍ତ ଭୋଟ୍ ଅମାନ୍ୟ ହେବ । ଏହି କଲମ ଏଆର୍ଓଙ୍କ ପାଖରେ ରହିବ । ପ୍ରତ୍ୟେକ ଭୋଟରଙ୍କୁ ରୋମାନ୍ (ଇଂରାଜୀ) କିମ୍ବା ଯେକୌଣସି ମାନ୍ୟତାପ୍ରାପ୍ତ ଭାରତୀୟ ଭାଷାରେ ଅଙ୍କ ଆକାରରେ ୧, ୨, ୩ ଲେଖି ନିଜ ନିଜ ପସନ୍ଦର ପ୍ରାର୍ଥୀ ଉଲ୍ଲେଖ କରିବାକୁ ହେବ । ପ୍ରଥମ ପସନ୍ଦ ଉଲ୍ଲେଖ କରିବା ଅନିବାର୍ଯ୍ୟ; ତା’ ନ ହୋଇଥିଲେ ଭୋଟ୍ ରଦ୍ଦ ହେବ ।
ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ କରାଇବା ଦାୟିତ୍ୱ ନିର୍ବାଚନ ଆୟୋଗଙ୍କର । ଅନୁଚ୍ଛେଦ ୬୨ ଅନୁଯାୟୀ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ କରାଇବା ଅନିବାର୍ଯ୍ୟ ।
ମତଦାନ ସଂସଦ ଭବନ ଓ ବିଧାନସଭା ଭବନ ପରିସରରେ ହେବ । କରୋନା ପ୍ରୋଟୋକଲ୍ ଅନୁସାରେ ସାଂସଦ/ବିଧାୟକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବା ଅନିବାର୍ଯ୍ୟ ହେବ ।
ସମ୍ବିଧାନ ଅନୁଯାୟୀ ୩୫ ବା ତା’ଠାରୁ ଅଧିକ ବୟସର ଭାରତର ଯେକୌଣସି ନାଗରିକ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ । ତେବେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚକ ମଣ୍ଡଳ (ଇଲେକ୍ଟ୍ରୋରାଲ୍ କଲେଜ) ର ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ଥିବା ଆବଶ୍ୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *