ଜନସେବାରେ ଓଡ଼ିଶା ମଡେଲ୍
୮ଠ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୧୫ ସ୍ୱଳ୍ପ ସଞ୍ଚୟ ଓ ବିତ୍ତୀୟ ସଂସ୍ଥାପନ ଅଧିକାରୀ ଯୋଗଦେଲେ
ଭୁବନେଶ୍ୱର (ବୁ୍ୟରୋ): ଆନ୍ତରିକତାର ସହ କଠିନ ପରିଶ୍ରମ କର । ନୂଆ ଟେକ୍ନୋଲୋଜି ଆପଣାଅ । ରାଜ୍ୟର ଉନ୍ନତି ପାଇଁ ସର୍ବୋତ୍ତମ ପ୍ରଦର୍ଶନ କର । ନବନିଯୁକ୍ତ ସ୍ୱଳ୍ପ ସଂଚୟ ବିତ୍ତୀୟ ସଂସ୍ଥାପନ ଅଧିକାରୀ ଏବଂ ସ୍ଥାନୀୟ ପାଣ୍ଠି ସମୀକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପରାମର୍ଶ ଦେଇଛନ୍ତି ।
ଗୁରୁବାର ରାଜ୍ୟ ସରକାରରେ ୮ଠ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୧୫ ସ୍ୱଳ୍ପ ସଂଚୟ ଓ ବିତ୍ତୀୟ ସଂସ୍ଥାପନ ଅଧିକାରୀ ଯୋଗ ଦେଇଛନ୍ତି । ଲୋକସେବା ଭବନରେ ଆୟୋଜିତ ନବନିଯୁକ୍ତ ଅଧିକାରୀଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପରାମର୍ଶ ଦେଇଛନ୍ତି । ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଜନସେବା ଏକ ନିଆରା ସୁଯୋଗ ଆଣେ । ଗତ ଦୁଇ ଦଶନ୍ଧିରେ ରାଜ୍ୟର ପ୍ରଦର୍ଶନ ଉପରେ ଆଲୋକପାତ କରି ସେ କହିଥିଲେ, ରାଜ୍ୟରେ ବୈପ୍ଳବିକ ରୂପାନ୍ତର ଆସିଛି । ଗରିବୀ ଏବଂ ପଛୁଆ ରାଜ୍ୟର ମାନ୍ୟତାରୁ ବାହାରି ଓଡ଼ିଶା ଏବେ ଦେଶରେ ଦ୍ରୁତ ବିକାଶଶୀଳ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ହୋଇଛି । ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ସହ ଓଡ଼ିଶା ପ୍ରଶାସନ ଏବଂ ଜନସେବା କ୍ଷେତ୍ରରେ ମଡେଲ୍ ହୋଇପାରିଛି ।
କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ କିପରି ବହୁତ ଉନ୍ନତି ଆସିପାରିଛି, ତା’ ଉପରେ ମତ ରଖିଥିଲେ । ତିନି ନୂଆ ଅଧିକାରୀ ଲୋପାମୁଦ୍ରା ପଣ୍ଡା, ପ୍ରଜ୍ଞା ଭାରତୀ ସେଠୀ ଏବଂ ପ୍ରଭାତ ସେନାପତି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଥିଲେ । ୫-ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।