ଶିଶୁ ଶ୍ରମିକମୁକ୍ତ ଜିଲ୍ଲା ଭାବେ ପରିଗଣିତ ହେବ ଗଞ୍ଜାମ: ଜିଲ୍ଲାପାଳ
ଛତ୍ରପୁର (ଆପ୍ର): ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ୱାରା ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍ର ଭୟାବହତା ପରେ ସୁରଟ ଏବଂ ରାଜ୍ୟ ବାହାରୁ ଅନେକ ନିଜ ପରିବାର ସମେତ ଗଞ୍ଜାମ ଜିଲ୍ଲାକୁ ସବୁଦିନ ପାଇଁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେମାନଙ୍କ ପରିବାର ମଧ୍ୟରେ ଅନେକ ପିଲା ଅଛନ୍ତି, ଯେଉଁମାନେ ଶିକ୍ଷା ବ୍ୟବସ୍ଥାରେ ଜଡ଼ିତ ନହୋଇ ନିଜ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଏହି ଦୃଷ୍ଟିରୁ ଗତ ପ୍ରାୟ ୧୫ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ରାଜ୍ୟ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଚଳିତ ଜୁନ୍ ମାସ ୩ ଓ ୪ ତାରିଖରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର କରିଥିଲା । ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ରୂପେ ଯେଭଳି ଗଞ୍ଜାମ ସୁନାମ ଅର୍ଜନ କରିବ ସେଥିନିମନ୍ତେ ସମସ୍ତ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଅଧାରୁ ପାଠ ଛାଡ଼ି ଯାଉଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନେ କିଭଳି ଶିକ୍ଷା ବ୍ୟବସ୍ଥାରେ ଜଡ଼ିତ ହୋଇ ସ୍ୱାବଲମ୍ବୀ ହେବେ ସେ ଦିଗରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ବ୍ଲକ୍ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହରାଞ୍ଚଳ ସ୍ତରରେ ବ୍ରହ୍ମପୁର ମହାନଗର ନିଗମ ଅଧିକାରୀ ଏବଂ ଡୁଡାର ପ୍ରକଳ୍ପ ଅଧିକାରୀ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ବହନ କରିବେ । ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍, ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ, ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଚାଇଲ୍ଡ ଲାଇନ୍ର ସଦସ୍ୟ, ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ସଂସ୍ଥା ଗୁଡିକର ମାଲିକମାନେ ଯୋଗ ଦେଇଥିଲେ ।