ଭିକ ମାଗିଲେ ମା’-ବାପା

ପୁଅର ଶବ ଦେବାକୁ ହସ୍ପିଟାଲ ମାଗିଲା ୫ଠ ହଜାର
ପାଟନା (ଏଜେନ୍ସି): ବିହାରର ସମସ୍ତିପୁରା ଜିଲ୍ଲାରେ ଘଟିଥିବା ଏପ୍ରକାର ମମ୍ମସ୍ପର୍ଶୀ ତଥା ହୃଦୟବିଦାରକ ଘଟଣାକୁ ନେଇ ବିହାର ସରକାରଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନାନୁସାରେ ସମସ୍ତିପୁରା ଜିଲ୍ଲା ତାଜପୁର ଥାନା ଅନ୍ତର୍ଗତ ଆହାର ଅଞ୍ଚଳର ମହେଶ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ମାନସିକ ବିକୃତି ଥିବା ୨୫ ବର୍ଷୀୟ ପୁଅ ସଞ୍ଜୀବ ଗତ ମେ’ ମାସ ୨୫ ତାରିଖରେ କୁଆଡେ ନିଖୋଜ ହୋଇଯାଇଥିଲେ । ସଂପର୍କୀୟମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିଲା । ତେବେ ଗତ ୭ ତାରିଖରେ ମୁସରୀଧରାରୀ ଥାନା ଅଞ୍ଚଳରୁ ଏକ ସନ୍ଦିଗ୍ଧ ଯୁବକଙ୍କ ମୃତଦେହ ମିଳିଥିଲା । ପରେ ଏହି ମୃତଦେହ ସଞ୍ଜୀବଙ୍କର ବୋଲି ବୋଲି ଜଣାପଡିଥିଲା । ତେବେ ସେତେବେଳକୁ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲ ନିଆଯାଇସାରିଥିଲା । ପୋଷ୍ଟମର୍ଟମ ପରେ ଯେତେବେଳେ ପରିବାର ଲୋକ ଶବ ନେବାକୁ କହିଲେ ସେତେବେଳେ କିନ୍ତୁ ଏହି ସରକାରୀ ହସ୍ପିଟାଲର ପୋଷ୍ଟମର୍ଟମ ଗୃହରେ କାମ କରୁଥିବା ନାଗେନ୍ଦ୍ର ମଲ୍ଲିକ ନାମକ କର୍ମଚାରୀ ସେମାନଙ୍କୁ ଶବ ଫେରାଇନଥିଲେ । ବରଂ ୫ଠ ହଜାର ଟଙ୍କା ଆଣିଲେ ମୃତଦେହ ନେବ ବୋଲି କହିଥିଲେ ।
ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ଅସମର୍ଥ ଥିବା ସଞ୍ଜୀବଙ୍କ ମା’ ବାପା ନିଜ ଅସହାୟତା ପ୍ରକାଶ କରିବା ସତ୍ତ୍ୱେ ନାଗେନ୍ଦ୍ର କିଛି ଶୁଣିନଥିଲେ । ପରେ ଅନ୍ୟ ଉପାୟ ନପାଇ ମହେଶ ଠାକୁର ଏବଂ ତାଙ୍କ ପତ୍ନୀ ପୁଅର ଶବ ହସ୍ପିଟାଲରୁ ଆଣିବା ପାଇଁ ଗାଁ ଗାଁ ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ରେ ଭିକ ମାଗିବା ସହ ପଇସା ଯୋଗାଡ କରିବାରେ ଲାଗିପଡ଼ିଥିଲେ । ସେମାନେ କାନ୍ଦି କାନ୍ଦି ଲୋକଙ୍କୁ ପୁଅ ଶବ ଆଣିବାକୁ ପଇସା ମାଗୁଥିବା କହିବା ପରେ କେହି ଜଣେ ଏସବୁ ଘଟଣାର ଏକ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହାପରେ ଏହା ଭାଇରାଲ ହୋଇଯାଇଥିଲା । ଏହାକୁ ନେଇ ନିର୍ବାଚନ ଷ୍ଟାଟେଜିଷ୍ଟ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ଭର୍ତ୍ସନା କରିବା ପରେ ସରକାର ଏବଂ ପ୍ରଶାସନ ତତ୍ପର ହୋଇପଡିଛି । ଇତି ମଧ୍ୟରେ ପୁଲିସ୍ ମାଧ୍ୟମରେ ସଞ୍ଜୀବଙ୍କ ଶବ ଶୋକସନ୍ତପ୍ତ ମା’ ବାପାଙ୍କୁ ମିଳିଛି ଏବଂ ଅନ୍ତିମ ସଂସ୍କାରର ଦାୟିତ୍ୱ ମଧ୍ୟ ପ୍ରଶାସନ ବହନ କରିଛି । ଅନ୍ୟପକ୍ଷେ ହସ୍ପିଟାଲ କର୍ତ୍ତୃପକ୍ଷ ଏପ୍ରକାର ଅଭିଯୋଗକୁ ପ୍ରଥମେ ଖଣ୍ଡନ କରୁଥିବା ବେଳେ ପରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *