ଶ୍ରମିକଙ୍କୁ ମିଳୁନି ସର୍ବନିମ୍ନ ମଜୁରି

ଶ୍ରମିକ ଯୋଗାଉଥିବା ସଂସ୍ଥାର ଲାଇସେନ୍ସ ନାହିଁ
କେନ୍ଦୁଝର (ଆପ୍ର): ସଦର ବ୍ଲକ୍ ମୁରସୁଆଁସ୍ଥିତ ବ୍ରାଣ୍ଡ ଷ୍ଟିଲ୍ ଏଣ୍ଡ ପାୱାର ପ୍ରାଇଭେଟ ଲିଃ ସ୍ପଞ୍ଜ କାରଖାନାରୁ ଅପରେସନ ଏବଂ ରକ୍ଷଣାବେକ୍ଷଣ ପାଇଁ ମେସର୍ସ ଜୟ ଜଗନ୍ନାଥ ଟେକ୍ କନ୍ସଲଟାନସି ସର୍ଭିସେସ୍ କମ୍ପାନୀ ଠିକାରେ ନେଇ କାର୍ଯ୍ୟ କରୁଛି । ଏହି ସଂସ୍ଥା ଅଧୀନରେ ମେକାନିକାଲ୍ ବିଭାଗର ସିନିୟର ଫିଟର, ଫିଟର, ସିନିୟର ୱେଲଡର, ୱେଲଡରଙ୍କ ସମେତ ୧୦୦ରୁ ଅଧିକ ଟେକନିକାଲ୍ ଷ୍ଟାଫ୍ କାମ କରୁଛନ୍ତି । ମେସର୍ସ ଜୟ ଜଗନ୍ନାଥ ଟେକ୍ କନ୍ସଲଟାନସି ସର୍ଭିସେସ୍ ଶ୍ରମ ବିଭାଗ ଲାଇସେନ୍ସ ନେଇ କାମ କରୁଥିବା ବେଳେ ୧୪/୦୫/୨୦୨୨ରେ ଏହାର ଲାଇସେନ୍ସ ଅବଧି ଶେଷ ହୋଇଛି । ଲାଇସେନ୍ସ ଅବଧି ଶେଷ ହେବା ପୂର୍ବରୁ ଶ୍ରମ ବିଭାଗରେ ନବୀକରଣ କରାଯାଇ ନାହିଁ ।
ବର୍ତ୍ତମାନ ୧୦୦ରୁ ଅଧିକ କର୍ମଚାରୀ ଠିକା ସଂସ୍ଥା ଜେଜେଟିଏସ୍ ଅଧୀନରେ କାମ କରୁଛନ୍ତି । ଲାଇସେନ୍ସ ନ ଥିଲେ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଗେଟ୍ ପାସ୍ ମିଳିବ ନାହିଁ । ଏହି ସମୟରେ କୌଣସି ଅଘଟଣ ହେଲେ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ । ଲାଇସେନ୍ସ ନବୀକରଣ ହୋଇ ନ ଥିବାବେଳେ କାରଖାନା ମାଲିକ ଉକ୍ତ ସଂସ୍ଥାକୁ କାମ କରିବାକୁ କିପରି ଅନୁମତି ଦେଲେ ତାହା ତଦନ୍ତ ସାପେକ୍ଷ । ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳୀଙ୍କ ସହ ଯୋଗାଯୋଗ କରିବାରୁ ଲାଇସେନ୍ସ ନବୀକରଣ ହୋଇ ନ ଥିଲେ ଠିକାଦାର ଏବଂ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଏହି କାରଖାନାରେ ସପ୍ଲାଇ ଲେବର ଭାବେ କାମ କରୁଥିବା ୭୦ ଜଣ ଶ୍ରମିକଙ୍କୁ ସରକାରଙ୍କ ସର୍ବନିମ୍ନ ମଜୁରୀ ୩୨୬ ଟଙ୍କା ପଇଠ କରା ନ ଯାଇ ୨୮୦ ଟଙ୍କା ପଇଠ କରାଯାଉଛି । କାରଖାନାରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ବେଳେ ଏହାର ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି । ସେଫଟି ଅଫିସର ନ ଥାଇ ଏହି କାରଖାନା ଦୀର୍ଘ ମାସ ହେବା ଚାଲିଥିବା ଜଣାପଡ଼ିଛି । କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଶ୍ରମ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଫାକ୍ଟ୍ରି ଏଣ୍ଢ ବଏଲର ବିଭାଗ ମିଳିତ ଭାବେ ଯାଞ୍ଚ କରିବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *