ଟିକେଟ୍ ପାଇଁ ଧସ୍ତାଧସ୍ତି

ମହିଳାଙ୍କ ଉପରେ ଲାଠି ଚାର୍ଜ
କଟକ, ୯ ।୬ (ବୁ୍ୟରୋ): ଜୁନ୍ ୧୨ରେ ବାରବାଟୀରେ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ ପାଇଁ ଆଜିଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟରରେ ଟିକେଟ ବିକ୍ରି ପ୍ରକ୍ରିୟା । ଏପରିପ୍ରେକ୍ଷୀରେ ଟିକେଟ କାଉଣ୍ଟରରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ୯ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର କରାଯାଇଛି । ଏହି ଟି-୨୦ ମ୍ୟାଚ ପାଇଁ ସମୁଦାୟ ୧୨ ହଜାର ୯୩ଟି ଟିକେଟ ବିକ୍ରି କରିବାକୁ ଥିବାବେଳେ ସେଥିମଧ୍ୟରୁ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ ଓ ଅନ୍ୟ ୧୩୬୨ଟି ଅଧିକ ମୂଲ୍ୟର ଟିକେଟ ଉପଲବ୍ଧ ରହିଥିଲା । ତେବେ ୧୨ ହଜାର ଟିକେଟ କାଉଣ୍ଟରରେ ଉପଲବ୍ଧ ଥିବାବେଳେ ପ୍ରାୟ ୫୦ରୁ ୬୦ ହଜାର ଲୋକଙ୍କ ଆଜି ଭିଡ଼ ପରିଲକ୍ଷିତ ହୋଇଥିଲା । ଏପରିକି ମ୍ୟାଚକୁ ନେଇ ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଛୋଟରୁ ବୟସ୍କ ପର୍ଯ୍ୟନ୍ତ ମହିଳାମାନେ ଧାଡ଼ିରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । କ୍ରିକେଟ ବିଷୟରେ ଜ୍ଞାନ ନଥିବା ମହିଳାମାନେ ମଧ୍ୟ ଟିକେଟ ନେବାପାଇଁ ଧାଡ଼ିରେ ଛିଡ଼ା ହୋଇରହିଥିଲେ । ରାତି୨ଟାରୁ ଧାଡ଼ିରେ ଛିଡ଼ା ହୋଇରହିଥିବା ବେଳେ ଆଜି ସକାଳୁ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଅନେକ ମହିଳା ଧାଡ଼ି ଭାଙ୍ଗି ମଝିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବାରୁ ଦେଖିବାକୁ ମିଳିଥିଲା । ଏହା ଦେଖି ଆଉ କିଛି ମହିଳା ଟିକେଟ ନେବାପାଇଁ ବ୍ୟାରିକେଡ ବାହାରେ ଆଉ ଏକ ଲାଇନ କରିଥିଲେ । ଫଳରେ ଘଟଣାସ୍ଥଳରେ ଅଚାନକ ପ୍ରକାଶ ପାଇଥିଲା ଉତ୍ତେଜନା । ମହିଳାମାନଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସତ୍ତ୍ୱେ ମଧ୍ୟ ସ୍ଥିତି ନିୟନ୍ତ୍ରଣାକୁ ଆଣିପାରି ନଥିଲା । ଫଳରେ ବାଧ୍ୟ ହୋଇ ପୁଲିସ ମହିଳାଙ୍କ ଉପରେ ମୃଦୁ ଲାଠିଚାଳନା କରିଥିଲା । ଲାଠିମାଡ଼ ଫଳରେ ଧାଡ଼ିରେ ଛିଡ଼ା ହୋଇଥିବା ମହିଳାମାନେ ଯିଏ ଯେଉଁଆଡ଼େ ପାଇଲେ ଦୌଡ଼ିବାକୁ ଲାଗିଥିଲେ । ଯାହାଦ୍ୱାରା ଧାଡ଼ି ଭାଙ୍ଗି ଯାଇଥିଲା ।
ଦୀର୍ଘ ସମୟ ପରେ ପରିସ୍ଥିତି ନିୟନ୍ତ୍ରଣ ଆସିବା ପରେ ମହିଳାମାନେ ପୁଣି ଥରେ ଧାଡ଼ି କରି ଟିକେଟ ପାଇଁ ଛିଡ଼ା ହୋଇଥିଲେ । ହେଲେ ଅନେକଙ୍କୁ ଟିଟେକ ନମିଳିବାରୁ ନିରାଶ ହୋଇ ଘରକୁ ଫେରି ଯାଇଥିଲେ । ଏପରିକି ଆଜି ଓ ଆସନ୍ତାକାଲି କାଉଣ୍ଟରରେ ଟିକେଟ ବିକ୍ରି ହେବାକୁ ଥିବାବେଳେ ଆଜି ଅପରାହ୍ନ ସୁଦ୍ଧା ସମସ୍ତ ଟିକେଟ ବିକ୍ରି ଶେଷ ହୋଇଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଟିକେଟ ବିକ୍ରି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବରିଷ୍ଠ ନାଗରିକ । ଖରା ଗୁଳିଗୁଳିରେ ଧାଡ଼ିରେ ଛିଡ଼ା ହେବା ବରିଷ୍ଠ ନାଗରିକଙ୍କ ପାଇଁ ସମ୍ଭବପର ନୁହେଁ । ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଏକ କାଉଣ୍ଟରରେ ଟିକେଟ ବିକ୍ରିର ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଜଣେ ବରିଷ୍ଠ ନାଗରିକ । ପ୍ରକାଶଥାଉକି, ଆଜି ଓ ଆସନ୍ତାକାଲି କାଉଣ୍ଟରରେ ଟିକେଟ ବିକ୍ରି ହେବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥିପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି । ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଳାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଥିଲା । ଭୋଟର କାର୍ଡ଼ କିମ୍ବା ଆଧାର କାର୍ଡ଼ ଦେଖାଇ ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କାଉଣ୍ଟରରୁ ସଂଗ୍ରହ କରିବାର ବ୍ୟବସ୍ଥା ରହିଥିଲା । ଟିକେଟ କିଣିବା ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ଅନ୍ଲାଇନରେ ୫ ହଜାର ଟିକେଟ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସସନ ପାଇଁ ୮ ହଜାର ଟିକେଟ ବିକ୍ରି ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *