୨ଠ୮୨ କୋଟିର ୧୧ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକରେ ୧୧ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହାଦ୍ୱାରା ୨ଠ୮୨.୧୭ କୋଟି ଟଙ୍କାର ନୂଆ ନିବେଶ ସହ ୩୬୧୨ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଅନୁମୋଦନ ଲାଭ କରିଥିବା ୧୧ଟି ପ୍ରକଳ୍ପ ହେଲା- କୋରାପୁଟ ଜିଲ୍ଲାରେ ୭୩୨ କୋଟି ବ୍ୟୟରେ ଖଣିଜ ପରିବହନ ପାଇଁ କନ୍ଭେଅର ଷ୍ଟେଲଟ୍ ନିର୍ମାଣ କରିବ ନାଲ୍କୋ । ଏଥିରେ ୨୨୯ ନିଯୁକ୍ତି ସୃଷ୍ଟି ହେବ । ୩୭୯ କୋଟି ନିବେଶରେ କୋଣାର୍କ ଇସ୍ପାତ ଝାରସୁଗୁଡ଼ା ଜିଲ୍ଲାରେ ପେଲେଟ୍ ପ୍ଲାଣ୍ଟ୍ କୋଲ୍ ଗ୍ୟାସିଫିକେସନ୍ ୟୁନିଟ୍ ସ୍ଥାପନ କରିବ । ଏହାଦ୍ୱାରା ୧୧୬୫ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଏ.ଏସ୍.ଏଲ୍.ଏଣ୍ଟରପ୍ରାଇଜେସ୍ ଲିଃ ପକ୍ଷରୁ ୧୬୭.ଠ୩ କୋଟିରେ ଯାଜପୁର କଳିଙ୍ଗନଗର ଠାର ରେବାର ମିଲ୍ ପ୍ରତିଷ୍ଠା କରାଯିବ । ଏଥିରେ ୫ଠଠ ନିଯୁକ୍ତି ମିଳିବ । ଏହାସହ ପିଏସ୍ପିଏଲ୍ ଷ୍ଟିଲ ପ୍ରୋସେସର୍ସ ପ୍ରା.ଲିଃ ପକ୍ଷରୁ କଳିଙ୍ଗ ନଗରରେ ଷ୍ଟିଲ୍ ଫାବ୍ରିକେସନ୍ ଷ୍ଟ୍ରକ୍ଚର ୧୫ଠ କୋଟି ବିନିଯୋଗରେ କରାଯିବ । ଏହାଦ୍ୱାରା ୩୧ଠ ଜଣ ନିଯୁକ୍ତି ପାଇପାରିବେ । ଖେତନ ବିନିଯୋଗ ପ୍ରା.ଲିଃ ୫ଠ.୧ଠ କୋଟିରେ କଳିଙ୍ଗ ନଗରରେ ଷ୍ଟିଲ୍ ଡାଉନ୍ଷ୍ଟ୍ରିମ୍ ଉତ୍ପାଦ ନିର୍ମାଣ ସୁବିଧା ଶିଳ୍ପ କରିବ । ଏଥିରେ ୨୩୮ ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି । ସିଟିଆର ଏଲ୍ଏସ୍ ଡାଟା ସେଣ୍ଟର ଦ୍ୱାରା ୧୫୨.୨୫ କୋଟି ଟଙ୍କାରେ ଇନ୍ଫୋସିଟିରେ ଡାଟା ସେଣ୍ଟର ଫେସିଲିଟି ତଥା କ୍ଲାଉଡ୍ ହୋଷ୍ଟ୍ ସେବା ସମୂହ ସ୍ଥାପନ କରାଯିବ । ଏଥିରେ ୧୧ଠ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହାବାଦ୍ ସୁନ୍ଦରଗଡ଼ କଲୁଙ୍ଗ ଠାରେ ଆଇଏଫ୍ଜିଏଲ୍ ରିଫ୍ରାକ୍ଟୋରିଜ୍ ପକ୍ଷରୁ ମୋନୋଲିଥିକସ୍ ଏବଂ ସ୍ଲାଇଡ୍ ଗେଟ୍ ପ୍ଲେଟ୍ ଉତ୍ପାଦନ ପାଇଁ ୬୬.୨୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୨୬୪ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଓଡିୟାନା ଇକୋ ରିସର୍ଟ ପକ୍ଷରୁ ପୁରୀ-କୋଣାର୍କ ବେଳାଭୂମି ରାସ୍ତା ନିକଟରେ ହୋଟେଲ୍ ଏବଂ ରିସର୍ଟ ପାଇଁ ୧୨୮ କୋଟି ଟଙ୍କା ବିନିଯୋଗ କରାଯିବ । ଏଥିରେ ୨୬୫ ନିଯୁକ୍ତି ପାଇବେ । ଏହାସହ ଲାଇଫ୍ଲାଇନ୍ ମଲ୍ଟି ଭେଞ୍ଚର୍ସ ପକ୍ଷରୁ କୋଣାର୍କ ନିକଟରେ ହୋଟେଲ୍ ଓ ରିସର୍ଟ ପାଇଁ ୧ଠଠ କୋଟି ବିନିଯୋଗ କରାଯିବ । ଏଥିରେ ୨୬୬ ନିଯୁକ୍ତି ସମ୍ଭାବନା ରହିଛି । ହୋଟେଲ୍ ସୁଖାମେ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ହୋଟେଲ୍ ଓ ଆତିଥ୍ୟ ଶିଳ୍ପ ପାଇଁ ୮୮.ଠ୯ କୋଟି ନିବେଶ କରାଯିବ । ୬ଠ ଜଣଙ୍କୁ ଏହାଦ୍ୱାରା ନିଯୁକ୍ତି ସୁଯୋଗ ମିଳିବ । ଆସ୍ପେନ୍ ଲେକ୍ ସୁଟ୍ସ ଏଲଏଲପି ପକ୍ଷରୁ ବରକୁଳ ନିକଟରେ ୬୯.୨୩ କୋଟି ଟଙ୍କାରେ ପଞ୍ଚତାରକା ରିସର୍ଟ ସୁବିଧା କରାଯିବ । ଏଥିରେ ମଧ୍ୟ ୬ଠ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *