ମେସିନ୍ କରୁଛି କାମ, ଶ୍ରମିକ ହତାଶ

ଲକ୍ଷ୍ୟଠାରୁ ଦୂରରେ ମନରେଗା ଯୋଜନା
ନିଆଳି (ଆପ୍ର): ଶ୍ରମିକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବାକୁ ମହାତ୍ମାଗନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପ୍ରଣୟନ ହୋଇଥିଲେ ମଧ୍ୟ ଏହି ଯୋଜନା ବାସ୍ତବ ଲକ୍ଷ୍ୟଠାରୁ ବହୁ ଦୂରରେ । ସଂପ୍ରତି ନିଆଳି ବ୍ଲକର ପ୍ରାୟ ସବୁ ପଞ୍ଚାୟତରେ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ ମନରେଗା କାର୍ଯ୍ୟ ଚାଲିଛି । ଜେନତେନ ପ୍ରକାରେ ବର୍ଷାଦିନ ପୂର୍ବରୁ କାମ ସାରିବାକୁ ନିୟମଅନୁଯାୟୀ ଶ୍ରମିକ ମାନଙ୍କ ଦ୍ୱାରା କାମ କରା ନ ଯାଇ ମେସିନ୍ ଦ୍ୱାରା କାର୍ଯ୍ୟ କରାଯିବା ଯୋଗୁଁ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି । ବିଶେଷ କରି ରତନପୁର, ବିନିଶପୁର, କସର୍ଦା, ରାଣିଓଳା, ପହଙ୍ଗା, ସିଠାଳୋ ,ଏକବେରୁଆଁ, କୃଷ୍ଣପ୍ରସାଦ, ନିଆଳି, ମାଧବ, କପାସୀ, ଷଡାଂଶ, ଅଁଳୋ, ଅଲଣା ଆଦି ପଞ୍ଚାୟତରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ସର୍ବସାଧାରଣରେ ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପ୍ରାଚୀ, କନ୍ଦଳ ଆଦି ନଦୀ ପଠା ଓ ସରକାରୀ ଜାଗାରୁ ମାଟି ଖୋଳି ନେଇ ମନରେଗା କାର୍ଯ୍ୟରେ ବିନିଯୋଗ କରାଯିବା ଫଳରେ ସଂପୃକ୍ତ ସ୍ଥାନ ମାନଙ୍କରେ ଖାଲଖମା ସୃଷ୍ଟି ହେବାରେ ଲାଗିଛି ।
ଖାଲି ସେତିକି ନୁହେଁ ମନରେଗା କାର୍ଯ୍ୟପାଇଁ ଗୋଚର ଜମିି ମଧ୍ୟ ବାଦ୍ ପଡୁନି । ମେସିନ୍ ଦ୍ୱାରା ମନରେଗା କାର୍ଯ୍ୟକରାଯାଉଥିଲେ ମଧ୍ୟ ସରକାରୀ ନଥିପତ୍ରରେ ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ଦର୍ଶାଯାଇ ବ୍ୟାପକ ହେର୍ଫେର୍ ଚାଲିଛି । ମନରେଗା କାର୍ଯ୍ୟସ୍ଥଳୀରେ ସୂଚନାଫଳକ ଲଗାଯିବା ନିୟମ ଥିଲେ ମଧ୍ୟ ତାହା କରା ନ ଯାଇ ଜେନତେନ ପ୍ରକାରେ କାର୍ଯ୍ୟ ସାରିବା ପରେ ସୂଚନା ଫଳକ ଲଗାଯିବା କଳାକାରବାରର ଏକ ନିଚ୍ଛକ ନମୁନା ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ବିଡିଓ,ଯନ୍ତ୍ରୀ ସଲାସୁତରା ହୋଇ ମନରେଗା ଯୋଜନାରୁ ବିପୁଳ ଅର୍ଥ ଆତ୍ମସାତ୍ କରାଯାଉଥିବା ବେଳେ ଏହି ଅଞ୍ଚଳର ଶହ ଶହ ଶ୍ରମିକ କାମ ଧନ୍ଦା ନ ପାଇ ରାଜ୍ୟବାହାରକୁ ଦାଦନ ଖଟିବାକୁ ଯିବା ପ୍ରସଙ୍ଗ ଯୋଜନାର ସଫଳତା ପ୍ରତି ଏକ ଆହ୍ୱାନ ବୋଲି ମତପ୍ରକାଶ ପାଉଛି । ଏହି କଲ୍ୟାଣକାରୀ ଯୋଜନାଟି ବାସ୍ତବ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବାରୁ ଏଥିପ୍ରତି ଧ୍ୟାନ ଦିଆଯାଇ ଶ୍ରମିକ ମାନଙ୍କୁ କାମଧନ୍ଦା ଯୋଇ ଦେବା ନିମନ୍ତେ ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯିବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *