ବିଶ୍ୱ ରେକର୍ଡ କରିପାରିଲାନି ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୯ା୬ (ଏଜେନ୍ସି): ଟି-୨୦ ଆନ୍ତର୍ଜାତିକରେ ଲଗାତାର ୧୩ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡରୁ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । ୨୧୨ ରନ୍ର ବଡ଼ ବିଜୟଲକ୍ଷ୍ୟ ଦେବା ସତ୍ତ୍ୱେ ବୋଲିଂ ବିଫଳତା ଯୋଗୁଁ ଭାରତ ଗୁରୁବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ରାସି ଭାନ୍ ଡର୍ ଡୁସେନ୍ ଓ ଡେଭିଡ୍ ମିଲର୍ଙ୍କ ଧୂଆଁଦାର ଶତକୀୟ ଭାଗୀଦାରୀ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ଆୟୋଜକ ଟିମ୍କୁ ୭ ୱିକେଟ୍ରେ ମାତ୍ ଦେଇଛି । ଆସନ୍ତା ୧୨ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ୧୯.୧ ଓଭର୍ରେ ୩ ୱିକେଟ୍ ହରାଇ ୨୧୨ ରନ୍ କରି ବିଜୟୀ ହୋଇଥିଲା । ରାସି ୪୬ ବଲ୍ରୁ ୭୫ (୭ ଚୌକା ଓ ୫ ଛକା ସହାୟତାରେ) ଓ ମିଲର୍ ୩୧ ବଲ୍ରୁ ୬୪ (୪ ଚୌକା ଓ ୫ ଛକା ସହାୟତାରେ) ରନ୍ କରି ଅପରାଜିତ ଥିଲେ । ଉଭୟଙ୍କ ମଧ୍ୟରେ ୬୩ ବଲ୍ରୁ ୧୩୧ ରନ୍ର ଭାଗୀଦାରୀ କରିଥିଲେ ।
କୁଇଣ୍ଟନ୍ ଡି’ କକ୍ ଓ ଅଧିନାୟକ ବାଭୁମା ଇନିଂସ୍ ଓପନ୍ କରିଥିଲେ । ତେବେ ୨୨ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ବାଭୁମା ମାତ୍ର ୧୦ ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଡି’ କକ୍ଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ପ୍ରିଟୋରିଅସ୍ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୬୧ ରନ୍ ଯାଏଁ ପହଞ୍ଚିଥିଲା । ପ୍ରିଟୋରିଅସ୍ (୧୩ ବଲ୍ରୁ ୨୯)ଙ୍କୁ ଆଉଟ୍ କରି ହର୍ଷଲ ପଟେଲ୍ ଏହି ଯୋଡ଼ି ଭାଙ୍ଗିଥିଲେ । ୮୧ ରନ୍ରେ ଟିମ୍ ଡି’ କକ୍ (୨୨)ଙ୍କ ରୂପରେ ତୃତୀୟ ୱିକେଟ୍ ହରାଇଥିଲା । ଏହାପରେ ରାସି ଓ ମିଲର୍ ଇନିଂସ୍କୁ ଆଗେଇ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ ।
ଏଥି ପୂର୍ବରୁ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯୁବ ଖେଳାଳି ତ୍ରିଷ୍ଟାନ୍ ଷ୍ଟବ୍ସ ଟିମ୍ ପକ୍ଷରୁ ପଦାର୍ପଣ କରିଥିଲେ । ଅନ୍ୟପଟେ, ଉମରାନ ମଲିକଙ୍କୁ ଭାରତୀୟ ଟିମ୍ରେ ସ୍ଥାନ ମିଳି ନ ଥିଲା ।
ଈଶାନ କିଶନ ଓ ଋତୁରାଜ ଗାଏକୱାଡ଼ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଉଭୟ ୩୮ ବଲ୍ରୁ ୫୭ ରନ୍ର ଭାଗୀଦାରୀ କରିଥିଲେ । ଋତୁରାଜ ୨୩ ରନ୍ କରି ୱେନ ପର୍ନେଲ୍ଙ୍କ ବଲ୍ରେ ବାଭୁମାଙ୍କୁ କ୍ୟାଚ୍ ଦେଇଥିଲେ । ତାଙ୍କ ବ୍ୟାଟ୍ରୁ ତିନି ଛକା ହୋଇଥିଲା ।
ଏହାପରେ ଈଶାନ ନୂଆ ବ୍ୟାଟର୍ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍କୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ୧୦ମ ଓଭର୍ରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ଇତ୍ୟବସରେ ଈଶାନ ୩୭ ବଲ୍ରୁ ନିଜ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରର ତୃତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୪୦ ବଲ୍ରୁ ୮୦ ରନ୍ର ଭାଗୀଦାରୀ ହୋଇଥିଲା । ଈଶାନ ୪୮ ବଲ୍ରୁ ୧୫୮.୩୩ ଷ୍ଟ୍ରାଇକ୍ ରେଟ୍ରେ ୭୬ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ୍ରେ ୧୧ ଚୌକା ଓ ୩ ଛକା ରହିଥିଲା । ତାଙ୍କ ୱିକେଟ୍ କେଶବ ମହାରାଜଙ୍କ ଖାତାକୁ ଯାଇଥିଲା । ଆୟର ବ୍ୟକ୍ତିଗତ ୩୬ (୨୭ ବଲ୍ରୁ) ରନ୍ରେ ଡ୍ୱେନ୍ ପ୍ରିଟୋରିଅସ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଟିମ୍ର ସ୍କୋର୍ ୧୫୬ ହୋଇଥିବା ବେଳେ ତୃତୀୟ ୱିକେଟ୍ ପଡ଼ିଥିଲା ।
ଏହାପରେ ଅଧିନାୟକ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଜୋର୍ଦାର ଖେଳ ଦେଖାଇ ଟିମ୍ର ସ୍କୋର୍କୁ ୨୦୦ ପାରି କରାଇଥିଲେ । ଉଭୟ ୧୮ ବଲ୍ରୁ ୪୬ ରନ୍ ଯୋଗ କରିଥିଲେ । ଶେଷ ଓଭର୍ରେ ପନ୍ତ ୧୬ ବଲ୍ରୁ ୨୯ (୨ ଚୌକା ଓ ୨ ଛକା) ରନ୍ କରି ଆନରିକ୍ ନୋର୍ତଜେଙ୍କ ଶିକାର ହୋଇଥିଲେ ।
ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ କରିଥିଲା । ପାଣ୍ଡ୍ୟା ୧୨ ବଲ୍ରୁ ୩୧ (୨ ଚୌକା ଓ ୩ ଛକା ସହାୟତାରେ) ଓ ଦିନେଶ କାର୍ତ୍ତିକ ୧ ରନ୍ କରି ଅପରାଜିତ ଥିଲେ । ଶେଷ ୫ ଓଭର୍ରେ ୬୧ ରନ୍ ହୋଇଥିଲା ଏବଂ ୨ ୱିକେଟ୍ ପଡ଼ିଥିଲା । ବିପକ୍ଷ ବୋଲର୍ ମହାରାଜ, ନୋର୍ତଜେ, ପର୍ନେଲ ଓ ପ୍ରିଟୋରିଅସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।