ଆଜି ପହଞ୍ଚିବେ ଦୁଇ ଟିମ୍
ଭାରତ-ଦ. ଆଫ୍ରିକା ବାରବାଟୀ ଟି-୨୦
କଟକ, ୯ା୬ (ବୁ୍ୟରୋ): ଶୁକ୍ରବାର ଭୁବନେଶ୍ୱରରେ ଆସି ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ । ଆସନ୍ତା ୧୨ରେ ଦୁଇ ଟିମ୍ ମଧ୍ୟରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ଏଥିପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ, ଗୁରୁବାର ଷ୍ଟାଡିୟମ୍ରେ ଏଲ୍ଇଡି ଫ୍ଲଡ୍ଲାଇଟ୍ ଉଦ୍ଘାଟିତ ହୋଇଛି । ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ହୋଟେଲ୍ର ସୁରକ୍ଷା ସାଙ୍ଗକୁ ଯେଭଳି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବ, ସେଥିପ୍ରତି କମିଶନରେଟ୍ ପୁଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ବିମାନ ବନ୍ଦର ଠାରୁ ହୋଟେଲ୍ ଏବଂ ହୋଟେଲ୍ ଠାରୁ ବାରବାଟୀ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ପୁଲିସ୍ର କାର୍କେଡ୍ ରିହର୍ସାଲ୍ କରାଯାଇଛି । ହୋଟେଲ୍ ମେ’ ଫେୟାରରେ ଖେଳାଳିଙ୍କୁ ଉଚିତ ଆତିଥ୍ୟ ପ୍ରଦାନ ପାଇଁ ସବୁପ୍ରକାର ବନେ୍ଦାବସ୍ତ କରାଯାଇଛି । ହୋଟେଲ୍ର ସମସ୍ତ ରୁମ୍ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି । ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍ମାନଙ୍କ ଲାଗି ଲୋ କ୍ୟାଲେରୀଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି ଆସିଛି । ହୋଟେଲ୍ର ସମସ୍ତ କର୍ମଚାରୀ କୋଭିଡ୍ ଗାଇଡ୍ଲାଇନ୍କୁ ମାନି ସେବା ପ୍ରଦାନ କରିବେ । ଡବଲ୍ଡୋଜ୍ ନେଇଥିବା କର୍ମଚାରୀଙ୍କୁହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ । ଖେଳାଳିମାନେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ଏହି ହୋଟେଲ୍ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ । ଏପରିକି ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ତରଫରୁ କୁହାଯାଇଛି ।
କଟକରେ କ୍ରିକେଟ୍ କ୍ରେଜ୍
ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍କୁ ନେଇ ଢେର୍ ଉତ୍ସାହିତ ଅଛନ୍ତି କ୍ରିକେଟ୍ପ୍ରେମୀ । ଏହି ମ୍ୟାଚ୍କୁ ନେଇ କଟକରେ ଗୁରୁବାର ଦେଖିବାକୁ ମିଳିଥିଲା କ୍ରିକେଟ୍ କ୍ରେଜ୍ । ଟିକେଟ୍ ପାଇଁ ଅସହ୍ୟ ଗୁଳିଗୁଳି ସତ୍ତ୍ୱେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇରହିଥିଲେ କ୍ରିକେଟ୍ପ୍ରେମୀ । କିଏ ଗଞ୍ଜାମରୁ ଆସିଥିଲା ତ କିଏ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରୁ । ଏପରିକି ରାତି ଅନିନ୍ଦ୍ରା ସାଙ୍ଗକୁ ଖାଇବା ପିଇବା ମଧ୍ୟ ଭୁଲି ଯାଇଥିଲେ । କେବଳ ଗୋଟିଏ ଲକ୍ଷ୍ୟ ଥିଲା ଟିକେଟ୍ ନେବି ବାରବାଟୀରେ ଖେଳ ଦେଖିବି । ଏପରିକି ଜଣେ କ୍ରିକେଟ୍ପ୍ରେମୀ ଲୁହା ବାଡ଼ରେ ଶୋଇ ଟିକେଟ୍ କିଣୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
କିଏ ଆଗୁଆ ଅନ୍ଲାଇନ୍ରେ ଟିକେଟ ପାଇଁ ପେମେଣ୍ଟ କରିଦେଇଛି, ତ କିଏ ରାତି ୨ଟାରୁ ଆସି ଧାଡ଼ିରେ ଛିଡ଼ା ହୋଇଛି । ଶହ ଶହ କ୍ରିକେଟ୍ପ୍ରେମୀ ଆଜି ଷ୍ଟାଡ଼ିୟମ୍ ବାହାରେ ଟିକେଟ୍ ନେବାକୁ ପହଞ୍ଚିଯାଇଥିଲେ । କିନ୍ତୁ ମୋଟ୍ ୧୨ ହଜାର ୯୩ଟି ଟିକେଟ୍ ଉପଲବ୍ଧ ଥିବା ବେଳେ ଅନ୍ଲାଇନ୍ରେ ୫ ହଜାର ଟିକେଟ୍ ରହିଥିଲା । କିନ୍ତୁ ସକାଳେ କାଉଣ୍ଟରରେ ୧୨ ହଜାର ଟିକେଟ୍ ବିକ୍ରି ହୋଇଯାଇଥିଲେ ମଧ୍ୟ ଅନ୍ଲାଇନ୍ରେ ବିକ୍ରି ହୋଇଥିବା ୫ ହଜାର ଟିକେଟ୍ ଏଯାଏଁ ବଣ୍ଟା ହୋଇ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରିକେଟ୍ପ୍ରେମୀ । ଏହା ସେମାନଙ୍କୁ ନିରାଶ କରିଥିଲା ।