ଆସୁଛି ଉକ୍ରଟ ମାନ୍ଦି
ବିଶ୍ୱ ବ୍ୟାଙ୍କ୍ର ଚେତାବନୀ
ଲଣ୍ଡନ,୮ା୬: ଆଗାମୀ ଦିନରେ ପୃଥିବୀ ବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ । ସେଥିରେ ୟୁରୋପ ଓ ପୂର୍ବ ଏସିଆର ଅନେକ ସ୍ୱଳ୍ପ ବିକଶିତ ଦେଶ ସର୍ବାଧିକ ପ୍ରଭାବିତ ହେବେ ବୋଲି ବିଶ୍ୱବ୍ୟାଙ୍କ ଚେତାବନୀ ଦେଇଛି । ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିସ୍ ମେଲ୍ପସ୍ କହିଛନ୍ତି, ପୁଞ୍ଜି ନିବେଶ କମିଯିବା କାରଣରୁ ଅନେକ ଦେଶର ଆର୍ଥିକ ବିକାଶ ହାର ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ କମ୍ ରହିବ । ଅନେକ ଦେଶରେ ମହଙ୍ଗା ହାର ପୂର୍ବବର୍ତ୍ତୀ ବହୁ ଦଶକ ତୁଳନାରେ ଉଚ୍ଚତମ ସ୍ତରକୁ ଛୁଇଁଛି । କରୋନା ମହାମାରୀର କରାଳ ପ୍ରଭାବରୁ ବିଶ୍ୱ ଧୀରେ ଧୀରେ ମୁକୁଳି ଆସୁଥିବା ବେଳେ ଅଚାନକ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯିବା ଏବଂ ଚୀନ୍ରେ ପୁନର୍ବାର ଲକ୍ଡାଉନ୍ ଲାଗୁହେବା ତଥା ରୁଷ୍ ବିରୋଧରେ ପାଶ୍ଚାତ୍ୟ ଦେଶମାନେ କଠୋର କଟକଣା ଲାଗୁକରିବା ଫଳରେ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହୋଇଛି । ଏବେ ସବୁ ଦେଶରେ ଇନ୍ଧନ ଓ ଖାଦ୍ୟ ମୂଲ୍ୟ ହୁ ହୁ ବଢ଼ୁଛି । ଏହିସବୁ କାରଣରୁ ମୁଦ୍ରାସ୍ଫୀତିଜନିତ ମାନ୍ଦାବସ୍ଥା ଏବଂ ମହଙ୍ଗା ସ୍ଥିତି ଦୀର୍ଘ ବର୍ଷ ଧରି ଉଚ୍ଚତମ ସ୍ତରରେ ରହିବା ଆଶଙ୍କା ବଦ୍ଧମୂଳ ହେବାରେ ଲାଗିଛି ।
୨୦୨୧ରେ ସବୁ ଦେଶର ହାରାହାରି ଆର୍ଥିକ ଅଭିବୃଦ୍ଧି ହାର (ୱାର୍ଲଡ୍ ଗ୍ରୋଥ୍) ଥିଲା ୫.୭ ପ୍ରତିଶତ । ଏ ବର୍ଷ ତାହା ୨.୯ ପ୍ରତିଶତକୁ କମିଯିବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହା ୬ ମାସ ପୂର୍ବର ଆକଳନଠାରୁ ତ କମ୍, ଏପ୍ରିଲ୍ରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଆକଳନ (୩.୬ ପ୍ରତିଶତ)ଠାରୁ ମଧ୍ୟ କମ୍ । ବିଶ୍ୱବ୍ୟାଙ୍କ୍ ଆକଳନ ଅନୁଯାୟୀ, ୨୦୨୧ରୁ ୨୦୨୪ ମଧ୍ୟରେ ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିପାରେ । ଏହା ୧୯୭୬ ଓ ୧୯୭୯ ମଧ୍ୟରେ ଦେଖାଦେଇଥିବା ମୁଦ୍ରାସ୍ଫୀତିଜନିତ ମାନ୍ଦାବସ୍ଥା (ଷ୍ଟାଗ୍ଫ୍ଲେସନ୍)ଠାରୁ ମଧ୍ୟ ଆହୁରି ଖରାପ ସ୍ଥିତି । ମୁଦ୍ରାସ୍ଫୀତିଜନିତ ମାନ୍ଦି ସେତେବେଳେ ଆସେ ଯେତେବେଳେ ଆର୍ଥିକ ବିକାଶ ହାର ସ୍ଥିର ରହେ କିନ୍ତୁ ମହଙ୍ଗା ଓ ବେରୋଜଗାର ହାର ଦ୍ରୁତ ବେଗରେ ବୃଦ୍ଧି ପାଏ । ଏଥିରୁ ବର୍ତ୍ତିବା କୌଣସି ଦେଶ ପକ୍ଷେ ସହଜ ନୁହେଁ । ଯଦିବା କୌଣସି ଦେଶ ଆର୍ଥିକ ମାନ୍ଦାବସ୍ଥା (ରିସେସନ୍)ରୁ ବର୍ତ୍ତିଯାଏ, ମୁଦ୍ରାସ୍ଫୀତିଜନିତ ମାନ୍ଦାବସ୍ଥା (ଷ୍ଟାଗ୍ଫ୍ଲେସନ୍)ରୁ ମୁକୁଳିବା ଅସମ୍ଭବ ହୋଇପାରେ । ୨୦୨୩ରେ ପୃଥିବୀସାରା ଆର୍ଥିକ ଅଭିବୃଦ୍ଧି ହାର ସ୍ଥିର ଅବସ୍ଥାକୁ ଚାଲିଆସି ୧୦ ବର୍ଷ ପର୍ଯ୍ୟନ୍ତ ସେହିଭଳି ସ୍ଥିତିରେ ଅଟକିଯିବ ବୋଲି ବିଶ୍ୱବ୍ୟାଙ୍କ ଚେତାବନୀ ଦେଇଛି ।
ସଂପ୍ରତି ପ୍ରାୟ ସବୁ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କମାନେ ସୁଧହାର ବଢ଼ାଉଥିବା ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ କହିଛନ୍ତି ମହଙ୍ଗା ହାରକୁ ନିୟନ୍ତ୍ରିତ କରିବା ଉଦେ୍ଦଶ୍ୟରେ ୧୯୭୦ମସିହାରେ ଠିକ୍ ଏହିଭଳି ଦୃଶ୍ୟପଟ ଦେଖିବାକୁ ମିଳିଥିଲା ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କମାନେ ସୁଧହାର ଏତେ ବଢ଼ାଇ ଦେଲେ ଯେ ୧୯୮୨ରେ ପୃଥିବୀ ସାରା ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେଲା ।