ରାହୁଲ ଓ କୁଲଦୀପ ବାଦ୍; ପନ୍ତ କ୍ୟାପ୍ଟେନ୍
ଆଜିଠୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା
ନୂଆଦିଲ୍ଲୀ, ୮ା୬ (ଏଜେନ୍ସି): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା । ଉଭୟ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଥିବା ବେଳେ ଏହାର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟ୍କା ଲାଗିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ପାଇଥିବା ଲୋକେଶ ରାହୁଲ ଆଘାତଜନିତ କାରଣରୁ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଏଥି ସହିତ ଆଇପିଏଲ୍ରେ ଉତ୍ତମ ପ୍ରଦର୍ଶନ କରିଥିବା ବାମହାତି ସ୍ପିନର୍ କୁଲଦୀପ ଯାଦବ ମଧ୍ୟ ଟିମ୍ର ଅଂଶବିଶେଷ ହେବେ ନାହିଁ । ସେ ବି ଆଘାତ ଯୋଗୁଁ ପୂରା ଶୃଙ୍ଖଳା ଖେଳିପାରିବେନି । ଏବେ ରିଷଭ ପନ୍ତ ପ୍ରଥମ ଥର ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ରାହୁଲ ଓ କୁଲଦୀପଙ୍କ ସ୍ଥାନ କିଏ ନେବେ, ତାହା ଏବେ ଘୋଷଣା କରାଯାଇ ନାହିଁ ।
ପନ୍ତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ । ରାହୁଲ ବାଦ୍ ପଡ଼ିବା ଯୋଗୁଁ ଟିମ୍ ଇଣ୍ଡିଆ ପକ୍ଷରୁ ଋତୁରାଜ ଗାଏକୱାଡ଼ ଓ ଈଶାନ କିଶନ ଇନିଂସ୍ ଓପନ୍ କରିପାରନ୍ତି । ପୂର୍ବରୁ ଉଭୟଙ୍କ ମଧ୍ୟରୁ ଜଣେ ରାହୁଲଙ୍କ ସହିତ ଓପନିଂ କରିଥାଆନ୍ତେ ।
ଏହି ଶୃଙ୍ଖଳାକୁ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ର ପ୍ରସ୍ତୁତି ଦୃଷ୍ଟିରୁ ବିଚାର କରାଯାଉଛି । ତେବେ ଆଗାମୀ ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରୁ ରଖି ବରିଷ୍ଠ ଖେଳାଳି – ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ରାହୁଲ ବି ବାଦ୍ ପଡ଼ିଛନ୍ତି । ଫଳରେ ଯୁବ ଖେଳାଳିଙ୍କୁ ନେଇ ଗଠିତ ଟିମ୍ ପାଇଁ ଆହ୍ୱାନ ବଢ଼ିଯାଇଛି ।
କେମିତି ଆହତ ହେଲେ ରାହୁଲ ଓ କୁଲଦୀପ?
ବିସିସିଆଇ ନିଜ ଟ୍ୱିଟ୍ରେ ସୂଚନା ଦେଇଛି ଯେ ଭାରତୀୟ ଟିମ୍ର ଅଧିନାୟକ ଲୋକେଶ ରାହୁଲ ମଙ୍ଗଳବାର ନେଟ୍ ସତ୍ରରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ଡାହାଣ ଜଂଘର ନିମ୍ନ ଅଂଶରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ସେହିପରି ନେଟ୍ସରେ ବ୍ୟାଟିଂ ସମୟରେ କୁଲଦୀପ ଯାଦବଙ୍କ ଡାହାଣ ହାତରେ ବଲ୍ ବାଜିଥିଲା । ସେ ଆହତ ହୋଇଥିଲେ ଏବଂ ତାଙ୍କୁ ଶୃଙ୍ଖଳାରୁ ବିଦାୟ ନେବାକୁ ପଡ଼ିଥିଲା ।
ଟି-୨୦ରେ ଭାରତର ଅଷ୍ଟମ ଅଧିନାୟକ ହେବେ ପନ୍ତ
ରିଷଭ ପନ୍ତ ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ରେ ଭାରତର ଅଷ୍ଟମ ଅଧିନାୟକ ହେବେ । ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ, ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା, ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାବନ୍ ଏହି ଫର୍ମାଟ୍ରେ ଭାରତୀୟ ଟିମ୍ର ନେତୃତ୍ୱ ନେଇସାରିଛନ୍ତି । ତେବେ ଆନ୍ତର୍ଜାତିକ କ୍ରିକେଟ୍ରେ ପନ୍ତ ଭାରତର ୪୨ତମ ଅଧିନାୟକ ହେବେ ।
ଟିମ୍ ଇଣ୍ଡିଆ ପାଖରେ ବିଶ୍ୱ ରେକର୍ଡ କରିବାର ସୁଯୋଗ
ଭାରତ ଏ ଯାବତ୍ ଲଗାତାର ୧୨ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଜିତିସାରିଛି ଏବଂ ଏବେ ଆଫଗାନିସ୍ତାନ ଓ ରୋମାନିଆର ସମକକ୍ଷ ଅଛି । ଯଦି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ର୍ରଥମ ଟି-୨୦ ମ୍ୟାଚ୍ ଜିତେ, ତା’ହେଲେ ଲଗାତାର ୧୩ ଟି-୨୦ ଜିତିବାରେ ବିଶ୍ୱର ପ୍ରଥମ ଟିମ୍ ହୋଇଯିବ ।