ବସ୍ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ନିର୍ଭୟା କାଣ୍ଡର ପୁନରାବୃତ୍ତି
ପାଟନା (ଏଜେନ୍ସି): ବିହାରର ବେତିୟା ଅଞ୍ଚଳରେ ୨ଠ୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି ହୋଇଛି । ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବେତିୟା ଅଞ୍ଚଳରେ ଥିବା ଡିପୋ ମଧ୍ୟରେ ଛିଡା ହୋଇ ରହିଥିବା ଏକ ବସ୍ ମଧ୍ୟରେ ଜଣେ ୧୭ବର୍ଷୀୟ ନାବାଳିକାଙ୍କୁ ବସ୍ କଣ୍ଡକ୍ଟର, ଡ୍ରାଇଭର, ଖଲାସୀ ଏବଂ ଅନ୍ୟଜଣେ ମିଳିତ ଭାବେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏମାନେ ପୀଡ଼ିତାଙ୍କୁ ପ୍ରଥମେ ପାଣି ଦେବା ବାହାନାରେ ନିଶାଦ୍ରବ୍ୟ ପିଇବାକୁ ଦେଇଥିଲେ । ପରେ ଯେତେବେଳେ ପୀଡ଼ିତାଜଣକ ବେହୋସ ହୋଇଯାଇଥିଲେ ସେତେବେଳେ ଅଭିଯୁକ୍ତମାନେ ତାଙ୍କ ସହ ଅପକର୍ମ କରିଥିଲେ । ଏସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ଖଲାସି ସମେତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ପୀଡିତା ଜଣକ ଏକ ବସ୍ରେ ପୂର୍ବ ଚମ୍ପାରଣର ଜିଲ୍ଲା ମୁଖ୍ୟାଳୟ ମୋତିହାରୀରୁ ବେତିୟା ଆସିଥିଲେ । ତେବେ ତାଙ୍କୁ ପାଟନା ଯିବାକୁ ଥିବାରୁ ସେ ବସ୍ ଡିପୋରେ ପାଟନା ଯିବା ପାଇଁ ଛିଡା ହୋଇଥିବା ଏକ ବସ୍କୁ ଚଢ଼ିଯାଇଥିଲେ । ଅନ୍ୟ ଯାତ୍ରୀ କେହି ବସ୍ ଭିତରେ ନଥିବା ବେଳେ ପୀଡ଼ିତାଙ୍କୁ ଅଭିଯୁକ୍ତ କଣ୍ଡକ୍ଟରଜଣକ ପିଇବା ପାଇଁ ପାଣି ଦେଇଥିଲେ । ତେବେ ଏଥିରେ ସେ ନିଶା ଔଷଧ ମିଶାଇଦେଇଥିବା ସମ୍ପର୍କରେ ପୀଡ଼ିତାଜଣକ ଜାଣିପାରିନଥିଲେ । ନିଶାପଦାର୍ଥଯୁକ୍ତ ପାଣି ପିଇବା ପରେ ପୀଡ଼ିତା ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡ୍ରାଇଭର, ଖଲାସି ଓ କଣ୍ଡକ୍ଟର ବସ୍ ମଧ୍ୟରେ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ମେଡିକାଲ ଯାଞ୍ଚ୍ରୁ ମଧ୍ୟ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି । ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ବସ୍ଟିକୁ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *