ମାଟିରେ ମିଶିବ ୧୭୫ ବର୍ଷର ଭଣ୍ଡାରଘର

ଢେଙ୍କାନାଳ (ଆପ୍ର): ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା କାର୍ଯ୍ୟ କରୁଛି ଏବଂ ଓଡିଶାରେ ‘ଇନ୍ଟାକ୍’ ସଂସ୍ଥା ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି । ଗଜପତି ପ୍ରତାପରୁଦ୍ର ଦେବଙ୍କ କପିଳାସ ଅବସ୍ଥାନ ସମୟରେ ଷୋଡଶ ଶତାବ୍ଦୀରେ କପିଳାସ ପାଦ ଦେଶରେ ଦେଓଗାଁ ଠାରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ତୋଳାଇ ରଥଯାତ୍ରା ଆରମ୍ଭ କରିଥିଲେ ଏବଂ ଏହା ସମ୍ମୁଖରେ କପିଳାସ ପର୍ବତ ଖୋଲରେ ବିରାଜିତ ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ନୀତିକାନ୍ତି ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥକୁ ସୁରକ୍ଷିତ ଭାବେ ରଖି ପାହାଡ ଉପରକୁ ନେବା ଆଣିବା ପାଇଁ ଏକ ଭଣ୍ଡାର ଘର ନିର୍ମାଣ କରାଇଥିଲେ । ପରବର୍ତ୍ତି ସମୟରେ ଢେଙ୍କାନାଳର ପୂଣ୍ୟଶ୍ଲୋକ ମହାରାଜା ଭଗିରଥ ମହୀନ୍ଦ୍ର ବାହାଦୂର ଏହି ଚାଳଛପର ଭଣ୍ଡାର ଘରକୁ ଏକ ବୃହତ୍ ପକ୍କା ଗୃହରେ ପରିଣତ କରିଥିଲେ । ୨୦ଇଞ୍ଚ ମୋଟେଇର ପୋଡା ଇଟା କାନ୍ଥ ସାଙ୍ଗକୁ ଏହା ଉପରେ ବିଶାଳ କଡିବର୍ଗା ବିଶିଷ୍ଟ ଛାତ ପକାଇଥିଲେ । ବାଲି ଚୂନରେ କାନ୍ଥ ପଲସ୍ତରା ହୋଇଥିଲା ଏବଂ କବାଟବନ୍ଧ ଉପରେ ବିଶାଳ ଲୁହାକଡିମାନ ପକାଯାଇଥିଲା । କବାଟବନ୍ଧର ଚୌକାଠଗୁଡିକ ୮ଇଞ୍ଚ ମୋଟେଇ ବିଶିଷ୍ଟ ଥିଲା । ଏ ସବୁର ଚିହ୍ନ ଏବେ ବି ବିଦ୍ୟମାନ ।
କପିଳାସ ପୀଠର ଉନ୍ନତି ପାଇଁ ସଂପ୍ରତି ରାଜ୍ୟ ସରକାର ବହୁକୋଟି ଅର୍ଥ ମଞ୍ଜୁର କରିଥିଲେ ବି ନିର୍ଦ୍ଦିଷ୍ଟ କେତେଟଙ୍କା କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିନାହାଁନ୍ତି । ଦିନକୁଦିନ ଉଜୁଡି ଯାଉଥିବା ଏହି ପ୍ରାଚୀନ ଭଣ୍ଡାରଘରର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉଛି କି ନାହିଁ ସେ ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ପ୍ରଶାସନ ପକ୍ଷରୁ ସାଧାରଣରେ ପ୍ରକାଶ କରାଯାଇନାହିଁ । ବର୍ତ୍ତର୍ମାନ ଏହା ଧୀରେ ଧୀରେ ଧ୍ୱଂସ ଅଭିମୁଖେ ଗତି କରୁଛି । ସମ୍ମୁଖ ଭାଗରୁ ଛାତ ଭୁଶୁଡିବା ଆରମ୍ଭ କଲାଣି । ଲୋକପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଏଥିପ୍ରତି ପଡୁନାହିଁ । ପ୍ରାଚୀନ ଐତିହ୍ୟ ସଂପନ୍ନ ସରଘର ବା ଭଣ୍ଡାର ଘରକୁ ତୁରନ୍ତ ସଂରକ୍ଷିତ କରାଯାଇ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳ, ଦେବୋତ୍ତର ଅଧିକାରୀ, ଢେଙ୍କାନାଳ ସାଂସଦ ଓ ବିଧାୟକ ଏହାର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦେଓଗାଁ ଗ୍ରାମବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *