ଦିନକରେ ୪୧% ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ୪୧% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡିଛି । ଦିନକ ପୂର୍ବେ ୩୭୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଦେଶର ବିଭିନ୍ନ ପ୍ରାନ୍ତରୁ ୫୨୩୩ ଆକ୍ରାନ୍ତ ପଞ୍ଜିକୃତ ହୋଇଛନ୍ତି । କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣଜନିତ ଗ୍ରାଫ ପୁଣିଥରେ ଉପରମୁହାଁ ହୋଇଛି । ଏକାଧିକ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।
ପୂର୍ବ ୨ ଲହର ଭଳି ୩ୟ ଲହରରେ ମଧ୍ୟ ମହାରାଷ୍ଟ୍ରରେ କରୋନା ସଂକ୍ରମଣଜନିତ ସ୍ଥିତି ଅନିୟନ୍ତ୍ରିତ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଦିନରେ ରାଜ୍ୟରୁ ୧୮୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବ ଦିନ ତୁଳନାରେ ପ୍ରାୟ ୮୧% ଅଧିକ । ରାଜ୍ୟର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମାୟାନଗରୀ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି । ୧୮୮୧ଜଣଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୧୨୪୨ଜଣ ସଂକ୍ରମିତ ରହିଛନ୍ତି । ତେବେ ମହାରାଷ୍ଟ୍ର ବ୍ୟତୀତ କେରଳ ଓ କର୍ଣ୍ଣାଟକରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୯୩ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୫ ହଜାର ପାର କରିଛି । ଫଳରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୮୫୭କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ପ୍ରାଣ ହରାଇଛନ୍ତି ।
ବେସାମରିକ ବିମାନ ଚଳାଚଳ ନିଦେ୍ର୍ଦଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଥିବା ଜାଣିବାକୁ ମିଳିଛି । ସମସ୍ତ ବିମାନବନ୍ଦରରେ ଏବଂ ବିମାନ ଭିତରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଡିଜିସିଏ ଏହାର ନୂତନ ଗାଇଡ୍ଲାଇନରେ କହିଛି, ଉଡ଼ାଣରେ ମାସ୍କ ପିନ୍ଧି ନ ଥିବା ସେହି ଯାତ୍ରୀଙ୍କୁ ନିୟମ ଉଲ୍ଲଂଘନକାରୀ ଭାବରେ ବିବେଚନା କରାଯିବ ଏବଂ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇଦିଆଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *