ରାସ୍ତାକଡ଼ ପିଲାଙ୍କ ସର୍ଭେ ହେବ
ଭୁବନେଶ୍ୱର,୮ା୬(ବୁ୍ୟରୋ): ରାସ୍ତାକଡ଼ରେ ରହୁଥିବା ସବୁ ପିଲାଙ୍କ ସର୍ଭେ କରାଯିବ । ଭୁବନେଶ୍ୱରର ସବୁ ହଟ୍ସ୍ପଟ୍ ଚିହ୍ନଟ ହେବ । ରାସ୍ତାକଡ଼ରେ ରହୁଥିବା ଶିଶୁଙ୍କ ଥଇଥାନ ଏବଂ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ପକ୍ଷରୁ ମାନସମନ୍ଥନ କରାଯାଇଛି ।
ବହୁ ସଂଗଠନ କର୍ମକର୍ତ୍ତା ସେମାନଙ୍କ ମତ ରଖିଛନ୍ତି । ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହି ବୈଠକର ନିଷ୍ପତ୍ତି ଅନୁସାରେ, ସରକାରୀ ସ୍ତରରେ ଶିଶୁଙ୍କ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ବିଭିନ୍ନ ବିଭାଗ ଯଥା-ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଗୃହ, ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଓ ଚାଇଲ୍ଡ ଲାଇନ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯିବ । ଏହି ଟାସ୍କଫୋର୍ସ ପ୍ରତି ତିନିମାସରେ ଥରେ ରାସ୍ତାକଡ଼ର ପିଲାଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମର ସମୀକ୍ଷା କରିବେ ଏବଂ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବେ । ଶିଶୁଙ୍କୁ ସ୍କୁଲ୍ ସିଷ୍ଟମରେ ପହଞ୍ଚାଇବା ଏବଂ ଯେଉଁଠାରେ ରହିବେ, ସେଠାରୁ ସ୍କୁଲ୍ ଶିକ୍ଷା ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ଅଧିକାର ସୁରକ୍ଷା କରାଯିବ ।
ସେମାନଙ୍କୁ ବିଭିନ୍ନ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ୍ କରାଯିବ । ସମସ୍ତ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ୍ କରାଯିବ । ଏହି ବୈଠକରେ ଆକ୍ସନ୍ ଏଡ୍ର ଘାସିରାମ ପଣ୍ଡା, ଚାଇଲ୍ଡ ଲାଇନ୍ ନିଦେ୍ର୍ଦଶକ ବେଣୁଧର ସେନାପତି, ସିସିଡବ୍ଲୁ୍ୟଡି ସମ୍ପାଦକ ସଦାଶିବ ସ୍ୱାଇଁ, ସେଭ୍ ଦି ଚିଲ୍ଡ୍ରେନ୍ର ଡ. ଅଭିଜିତ୍ ଭଦ୍ର, ଆସାୟେର ଅଧ୍ୟକ୍ଷ ରତ୍ନାକର ସାହୁ, ରୁଚିକା ସମାଜ ମଙ୍ଗଳ ସଂଗଠନର ଶିବାନୀ ନାୟକ ଉପସ୍ଥିତ ଥିଲେ । ୟୁନିସେଫ ପ୍ରତିନିଧି ଧର୍ମାନନ୍ଦ ସୁନ୍ଦରାୟ ସଭା ପରିଚାଳନା କରିଥିବାବେଳେ ଆୟୋଗ ସଦସ୍ୟା ଦିବ୍ୟା ଶାଶ୍ୱତୀ ଧନ୍ୟବାଦ ଦେଇଥିଲେ ।