ଥୋମାସ୍ କପ୍ ବିଜେତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୮ା୬(ବୁ୍ୟରୋ): ଥୋମାସ କପ୍-୨ଠ୨୨ର ବିଜେତା ଭାରତୀୟ ଟିମ୍ ସଦସ୍ୟ ଏବଂ କୋଚ୍ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ଏହି କପ୍ ହାସଲ କରିଛି । ହକି ଏବଂ କ୍ରିକେଟ୍ ବ୍ୟତୀତ ଏହା ହେଉଛି ତୃତୀୟ କ୍ରୀଡ଼ା କାର୍ଯ୍ୟକ୍ରମ, ଯେଉଁଠି ଭାରତ ବିଶ୍ୱ ଚାମ୍ପିଅନ୍ ହୋଇଛି ।
ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ନ୍ୟାସ୍ନାଲ କୋଚ୍ ପୁଲେଲା ଗୋପିଚାନ୍ଦ, ଖେଳାଳି କିଡାମ୍ବି ଶ୍ରୀକାନ୍ତ, ଧ୍ରୁବ କପିଲା, ପ୍ରଣୟ ଏଚଏସ୍, ପ୍ରିୟାଂଶୁ ରାଜାୱତ୍, ବିଷ୍ଣୁବର୍ଦ୍ଧନ ଗୌଡ଼, ଜିକେ ପ୍ରସାଦ, ଅର୍ଜୁନ ଏମଆର, ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ, ରାକିରେଡ୍ଡୀ ସାତ୍ୱିକ ସାଇରାଜ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଗୋପିଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଶର୍ଲ ଏବଂ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଏହାସହ ପ୍ରତ୍ୟେକ ଟିମ୍ ଖେଳାଳିଙ୍କୁ ୧ଠ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳାଳିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର ସବୁ ଖେଳାଳିଙ୍କ ଅଟୋଗ୍ରାଫ୍ ଥିବା ଜର୍ସି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ୟାଡ୍ମିଣ୍ଟନ୍ରେ ବିଶ୍ୱ ଚାମ୍ପିଅନ୍ ପାଇଁ ଭାରତ ଏବେ ପ୍ରଡକ୍ସନ୍ ସେଣ୍ଟର ହୋଇଛି । ଏକ ନୂଆଯୁଗ ଆରମ୍ଭ ହୋଇଛି । ସମଗ୍ର ଦେଶରେ ପିଲା ଏବଂ ଅଭିଭାବକଙ୍କ ମଧ୍ୟରେ ବ୍ୟାଡ୍ମିଣ୍ଟନ୍କୁ ନେଇ ଆଗ୍ରହ ରହିଛି । ବିଶ୍ୱ ଚାମ୍ପିଅନ୍ ପାଇଁ ଭାରତୀୟ ଟିମ୍ ଖେଳାଳି ଏବଂ କୋଚ୍ଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ୟାଡ୍ମିଣ୍ଟନ୍ ଭଳି କ୍ରୀଡ଼ାରେ ଆମ ପିଲାମାନେ ବିଶ୍ୱ ଚାମ୍ପିଅନ୍ ହେବା ପୂରା ଦେଶ ପାଇଁ ଗର୍ବର ବିଷୟ ଏବଂ ଐତିହାସିକ । ଗୋପିଚାନ୍ଦଙ୍କ ଭଳି କୋଚ୍ଙ୍କ ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତା, ବ୍ୟାଡ୍ମିଣ୍ଟନ୍ ଆସୋସିଏନ୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହାୟତା ପାଇଁ ସେ ଧନ୍ୟବାଦ ଦେଇଥିଲେ । ଗତ ୧ଠ ବର୍ଷ ହେଲା ଆନ୍ତର୍ଜାତିକ ସ୍ତରରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି ।
ବ୍ୟାଡ୍ମିଣ୍ଟନ୍କୁ ପ୍ରୋତ୍ସାହନ ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ବ୍ୟାଡ୍ମିଣ୍ଟନ୍ରେ ବହୁତ ନିବେଶ କରୁଛୁ । ଗୋପି ଚାନ୍ଦଙ୍କ ସହଭାଗିତାରେ ଆଗାମୀ କିଛି ମାସରେ ଏକ ଷ୍ଟେଟ୍ ଅଫ୍ ଆର୍ଟ ହାଇ ପରଫରମାନ୍ସ କେନ୍ଦ୍ର ଆରମ୍ଭ ହେବ । ରାଜ୍ୟବ୍ୟାପୀ ୮୯ଟି ବହୁମୁଖୀ ଇନ୍ଡୋର ହଲ୍ ନିର୍ମାଣ କରାଯାଉଛି । ଏସବୁ ରାଜ୍ୟରେ ବ୍ୟାଡ୍ମିଣ୍ଟନ୍ର ବିକାଶରେ ପ୍ରମୁଖ ଭାବେ ସହାୟକ ହେବ । ଆଗାମୀ ବର୍ଷରେ ବହୁ ଚାମ୍ପିଅନ୍ ଓଡ଼ିଶାରୁ ବାହାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହାଛଡ଼ା ଏକ ବାର୍ଷିକ କାର୍ଯ୍ୟକ୍ରମ ‘ଓଡ଼ିଶା ଓପନ୍’ ଆମେ ଆୟୋଜନ କରିବାକୁ ଯାଉଛି । ଏପରି ଅନେକ ଆନ୍ତର୍ଜାତିକ ଚାମ୍ପିଅନ୍ସିପ୍କୁ ସହାୟତା ପ୍ରଦାନ କରିବୁ ବୋଲି ସେ ଘୋଷଣା କରିଥିଲେ । ଆଗାମୀ ଭବିଷ୍ୟତରେ ଟିମ୍ର ଅଧିକ ସଫଳତା ମୁଖ୍ୟମନ୍ତ୍ରୀ କାମନା କରିଥିଲେ ।
କୋଚ୍ ଶ୍ରୀ ଗୋପି ଚାନ୍ଦ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରତ୍ୟେକ ରାଜ୍ୟ ନିଜର କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରୁଥିବାବେଳେ ଓଡ଼ିଶା ଏକମାତ୍ର ରାଜ୍ୟ, ଯାହା ଦେଶର ସମସ୍ତ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରୁଛି । ଓଡ଼ିଶା ଏବେ କ୍ରୀଡ଼ାକୁ ପ୍ରୋତ୍ସାହନରେ ଅଗ୍ରଣୀ ହୋଇଛି । ଏହି ସେଲିବ୍ରେସନ୍ ଆମ ପାଇଁ ପ୍ରେରଣା । ଏହି ବଡ଼ ସହାୟତା ପାଇଁ ଓଡ଼ିଶାକୁ ସେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ସଚିବ ଭୀନିଲ କ୍ରୀଷ୍ଣା ଧନ୍ୟବାଦ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଓଡ଼ିଶା ବ୍ୟାଡ଼୍ମିଣ୍ଟନ୍ ଆସୋସିଏସନ୍ ସଭାପତି ରୋହିତ ପୂଜାରୀ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ପ୍ରମୁଖ ଉପସ୍ଥିତ ଥିଲେ ।