ଇରାନ୍ରେ ଏକକାଳୀନ ୧୨ଜଣଙ୍କୁ ଫାଶୀ

ତେହରାନ୍ (ଏଜେନ୍ସି): ଇରାନ୍ରେ ଗୋଟିଏ ଦିନରେ ୧୨ କଏଦୀଙ୍କୁ ଫାଶୀ ଦିଆଯାଇଛି । ଏହି ୧୨ଜଣଙ୍କ ମଧ୍ୟରେ ୧୧ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ଦୋଷୀ ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି । ଏମାନେ ସମସ୍ତେ ସୁନ୍ନୀ ସମ୍ପ୍ରଦାୟର ଏବଂ ବାଲୁଚିସ୍ତାନର ସ୍ଥାୟୀ ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବିରୋଧରେ ଡ୍ରଗ୍ସ ଚୋରାବେପାର କରୁଥିବା ଅଭିଯୋଗ ସହ ହତ୍ୟା ଭଳି ସଂଗୀନ ଅପରାଧ ରୁଜୁ ହୋଇଥିଲା । ଏମାନଙ୍କ ଅଭିଯୋଗ ପ୍ରମାଣିତ ହେବା ପରେ ଏମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ସୋମବାର ଭୋର ସମୟରେ ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି ।
ଦେଶର ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ଜେଲ୍ (ଆଫଗାନ୍-ପାକିସ୍ତାନ ସୀମାନ୍ତ ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶରେ ଥିବା ଜାହେଦାନର ମୁଖ୍ୟ ଜେଲ୍ରେ) ମଧ୍ୟରେ ଏକକାଳୀନ ୧୨ଜଣଙ୍କୁ ଫାଶୀ ଦିଆଯିବା ବିଶ୍ୱ ଇତିହାସରେ ଏକ ବିରଳ ଘଟଣା ସାବ୍ୟସ୍ତ ହୋଇଛି । ସୂଚନାଯୋଗ୍ୟ, ଫାଶୀ ଖୁଣ୍ଟରେ ଝୁଲିଥିବା ୧୨ଜଣଙ୍କ ମଧ୍ୟରୁ ୬ଜଣ ନିଶା କାରବାର ମାମଲାରେ ମୃତୁ୍ୟଦଣ୍ଡ ପାଇ ଜେଲରେ ଥିଲେ । ସେହିପରି ବାକି ୬ଜଣ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଫାଶୀ ପାଇଥିବା ଏକମାତ୍ର ମହିଳାଙ୍କ ସମ୍ପର୍କରେ ଜଣାପଡିଛି । ତାଙ୍କ ନାଁ ଗରଗିଜ୍ । ପାରିବାରିକ ବିବାଦ କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ୨ଠ୧୯ରେ ଗିରଫ ହୋଇଥିଲେ ।
ପ୍ରକାଶ, ଇରାନ୍ ବିଶ୍ୱର ଏପରି ଏକ ଦେଶ ଯେଉଁଠି ପ୍ରତ୍ୟେକ ବର୍ଷ ସର୍ବାଧିକ ଫାଶୀ ଘଟଣା ଦେଖିବାକୁ ମିଳିଥାଏ । ଏଠାରେ ସାମାନ୍ୟ ଅଭିଯୋଗ ପାଇଁ ମଧ୍ୟ ମୃତୁ୍ୟଦଣ୍ଡର ବିଧାନ ରହିଆସିଛି । ବିଶ୍ୱ ମାନବାଧିକାର ସଂଗଠନ ପକ୍ଷରୁ ଏନେଇ ବାରାମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ଇରାନ୍ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । ଏବେ ଯେତେବେଳେ ଇରାନ୍, ଗୋଟିଏ ଦିନରେ ଏକକାଳୀନ ୧୨ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି ସେତେବେଳେ ମାନବାଧିକାର ସଂଗଠନଙ୍କ ଚିନ୍ତା ବଢ଼ିଯାଇଛି ।
ଇରାନ୍ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ କହିବାନୁସାରେ ଇରାନ୍ରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ୍ କରାଯାଇଆସୁଛି । କୁର୍ଦ୍ଦ, ବଲୁଚ ଏବଂ ଆରବ ଆଦି ନାଗରିକ ସର୍ବାଧିକ ରହିଛନ୍ତି । ୨ଠ୨୧ରେ ଇରାନ୍ରେ ମୋଟ୍ ୩୧୪ ଲୋକଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଛି । ସେହିପରି ୨ଠ୨ଠରେ ୨୪୬ ଲୋକଙ୍କୁ ମୃତୁ୍ୟଦଣ୍ଡ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *