ଜଙ୍ଗଲରେ ପଡ଼ିଛି ଗୁଳିବିଦ୍ଧ ଦନ୍ତା
ନରସିଂହପୁର, ୭ା୬ (ଆପ୍ର): ନରସିଂହପୁର ବନାଞ୍ଚଳରେ ହାତୀ କଙ୍କାଳ ଉଦ୍ଧାର କରାଯିବାର ଦୁଇଦିନ ପରେ ଗୁଳିମାଡ଼ରେ ଆହତ ଏକ ଦନ୍ତାହାତୀକୁ ଠାବ କରାଯାଇଛି । ନରସିଂହପୁର ପଶ୍ଚିମରେଞ୍ଜ ଅନ୍ତର୍ଗତ ଜୟପୁର ଜଙ୍ଗଲର ଖୋଲ ନିକଟରେ ଗୁଳିମାଡ଼ର ଶିକାର ହୋଇଥିବା ଉକ୍ତ ଦନ୍ତାହାତୀ ବୁଲୁଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି । ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ନିଜ ଫେସ୍ବୁକ୍ରେ ଫଟୋ ସହ ଗୁଳିବିଦ୍ଧ ହାତୀ ସଂପର୍କରେ ସୂଚନା ଦେଇଛନ୍ତି ।
ଦନ୍ତାହାତୀକୁ ଶିକାର ଉଦେ୍ଦଶ୍ୟରେ ପ୍ରାୟ ଏକ ମାସ ତଳେ ଗୁଳି କରାଯାଇଥିବା ବନବିଭାଗ ପକ୍ଷରୁ ସନେ୍ଦହ କରାଯାଉଛି । ହାତୀର ବୟସ ୧୨ ବର୍ଷ ଓ ଏହାର ଶୁଣ୍ଢ, ପେଟ ଏବଂ ଗୋଡ଼ରେ ୩ ରାଉଣ୍ଡ ଗୁଳି ବାଜିଛି ।
ଖବରପାଇ ବନବିଭାଗ ଏବଂ ବିଭିଓ ବିଜୟ କୁମାର ସେନାପତି ଚିକିତ୍ସା କରିଛନ୍ତି । ହାତୀ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିବାରୁ ବନ କର୍ମଚାରୀମାନେ କାବୁକରି ଔଷଧ ଦେବା ସହିତ ତା’ ଗତିବିଧି ଉପରେ ନଜର ରଖିବା ସହିତ ଜଗି ରହିଛନ୍ତି ।
ବିଧାୟକ ଶ୍ରୀ ମିଶ୍ର ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଏ ସଂପର୍କରେ ଅବଗତ କରାଇ ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ଦ୍ୱାରା ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ସୂଚନା ମିଳିଛି ।
ନରସିଂହପୁର ବନାଞ୍ଚଳରେ ଏକ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୮ ହାତୀ ପ୍ରାଣ ହରାଇଛନ୍ତି । ଏକାଧିକ ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଛନ୍ତି । ଏବେ ଶିକାରୀଙ୍କ ନଜର ଏହି ଅସୁସ୍ଥ ହାତୀଗୁନିକ ଉପରେ । ବନବିଭାଗ ଏହା ଉପରେ ଜନର ରଖିବାକୁ ଦାବି କରାଯାଇଛି ।