ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ
କଟକ, ୭ ।୬ (ବୁ୍ୟରୋ): ଦୀର୍ଘ ତିନି ବର୍ଷ ପରେ ବାରବାଟୀ ଷ୍ଟାଡ଼ିୟମ୍ରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ୍ । ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜିତ ହେବ । ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ମଙ୍ଗଳବାର ଠାରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏଥିସହିତ ଆରମ୍ଭ ହୋଇଛି ଅଫ୍ଲାଇନ୍ ଟିକେଟ୍ ବିକ୍ରି । ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଏହି ଟିକେଟ୍ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁୂଲ୍, କଲେଜ୍ ଓ କ୍ଲବ୍ ଇତ୍ୟାଦିକୁ ବିକ୍ରି କରାଯିବ । ମଙ୍ଗଳବାର ଓ ବୁଧବାର ୭୦ଟି ଅନୁବନ୍ଧିତ ସଂସ୍ଥାକୁ ୮ ହଜାର ଟିକେଟ୍ ବିକ୍ରି କରାଯିବ ।
ଓସିଏ କନ୍ଫରେନ୍ସ ହଲ୍ରେ ସକାଳ ୧୦ଟାରୁ ଏହି ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । କଟକ ଜିଲ୍ଲା ଆଥ୍ଲେଟିକ୍ ସଂଘ ପକ୍ଷରୁ ମେୟର ସୁବାସ ସିଂ ପ୍ରଥମ ଟିକେଟ୍ କିଣିଥିଲେ । ଏହାପରେ ବିଭିନ୍ନ କ୍ରୀଡ଼ା ସଂଗଠନ ଓ ଅନ୍ୟ ସଂସ୍ଥାର କର୍ମକର୍ତ୍ତା ଟିକେଟ୍ କିଣିଥିଲେ । କେବଳ ଅନୁମତି ପାଇଥିବା ସଦସ୍ୟଙ୍କୁ ଟିକେଟ୍ ପାଇଁ ଓସିଏ କନ୍ଫରେନ୍ସ ହଲ୍କୁ ଛଡ଼ାଯାଉଥିଲା ।
୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି
ସେହିପରି ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡ଼ିୟମ୍ ପରିସରରେ ଥିବା କାଉଣ୍ଟରରେ ଟିକେଟ୍ ବିକ୍ରି କରିବା ପାଇଁ ଓସିଏ ସମସ୍ତ ପ୍ରସ୍ତୁତି ଶେଷ କରିଛି । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ମିଳିବ । ଦର୍ଶକଙ୍କ ପାଇଁ ୧୨ଟି କାଉଣ୍ଟରରେ ୧୨ ହଜାର ଟିକେଟ୍ ବିକ୍ରି କରାଯିବ । ଟିକେଟ୍ ବିକ୍ରି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମଙ୍ଗଳବାର ଟିକେଟ୍ ବିକ୍ରି ପାଇଁ ଓସିଏ କନ୍ଫରେନ୍ସ ହଲ୍ ନିକଟରେ ଦୁଇ ସେକ୍ସନ୍ ପୁଲିସ ମୁତୟନ କରାଯାଇଥିଲା । ଦର୍ଶକ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟିକେଟ କିଣିପାରିବେ, ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରସ୍ତୁତି ପ୍ରାୟତଃ ଶେଷ
ଅନ୍ୟପକ୍ଷରେ ରବିବାର ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଆନୁସଙ୍ଗିକ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଷ୍ଟାଡ଼ିୟମକୁ ଏଥର ନୂଆ ଲୁକ୍ ଦେବା ପାଇଁ ପୂରା ପ୍ରୟାସ କରିଛି ଓସିଏ । ଡ୍ରେସିଂରୁମ୍ର କାୟାକଳ୍ପ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ସେହିପରି ଫ୍ଲଡ୍-ଲାଇଟ୍ ସହ ଆଉଟ୍ଫିଲ୍ଡ, ଏପରିକି ଡ୍ରେନେଜ୍ ସିଷ୍ଟମ୍ର ମଧ୍ୟ ନବକଳେବର କରାଯାଇଛି । ୧୨ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବାରୁ ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ । ସେଥିପାଇଁ ଓସିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଷ୍ଟେଲିଆରୁ ୫୦ ଲକ୍ଷ ବିନିମୟରେ ଆସିଛି ସୁପର ସପ୍ପର ମେସିନ୍, ଯାହାକି ଖୁବ୍ କମ୍ ସମୟ ମଧ୍ୟରେ ପଡ଼ିଆରୁ ପାଣି ଶୁଖାଇବାରେ ସାହାଯ୍ୟ କରିବ । ସେପଟେ ପିଚ୍ ସହିତ ପୂରା ପଡ଼ିଆକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଏକ ଗ୍ରାଉଣ୍ଡ କଭର ମଧ୍ୟ ଆସିଛି ।
ଅପରପକ୍ଷରେ, ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ଏୟାରପୋର୍ଟ ଠାରୁ ନେଇ ହୋଟେଲ୍ରେ ରହିବା ପର୍ଯ୍ୟନ୍ତ ହୋଟେଲ୍ରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥାରେ ୨୧ ପ୍ଲାଟୁନ୍ ପୁଲିସ ଫୋର୍ସ ରହିବେ ବୋଲି ସୂଚନା ମିଳିଛି ।