ସଫଳତା ହାସଲ କରିବାକୁ ପରାମର୍ଶ
ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୯୫ ସ୍କୁଲ ଲୋକାର୍ପିତ
ପୁରୀ (ବୁ୍ୟରୋ): ସ୍କୁଲଗୁଡ଼ିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢ଼ିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି । ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ । ଏହାଦ୍ୱାରା ପଢ଼ିବାରେ ଆମର ଆଗ୍ରହ ବଢ଼ିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଯୋଗୁ ସ୍କୁଲ୍ ଏବେ ଆମର ସବୁଠାରୁ ପସନ୍ଦର ସ୍ଥାନ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ୯୫ ସ୍କୁଲ ସମେତ ୫ ଜିଲ୍ଲାର ୪୪୫ ସ୍କୁଲ୍କୁ ଲୋକାର୍ପିତ କରିଛନ୍ତି ।
ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୪୮ଟି ସ୍କୁଲ୍ ଲୋକାର୍ପିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅସ୍ତରଙ୍ଗ ବ୍ଲକ୍ରେ ୪, ବ୍ରହ୍ମଗିରି ୭, ଡେଲାଙ୍ଗ ୭, ଗୋପ ୧୧, କାକଟପୁର ୮, ନିମାପଡ଼ା ୧୧, କଣାସ ୮, କୃଷ୍ଣପ୍ରସାଦ ୬, ପିପିଲି ୧୧, ପୁରୀ ସଦର ୧୩, ସତ୍ୟବାଦୀ ବ୍ଲକ୍ର ୯ଟି ସହ ମୋଟ ୯୫ଟି ସ୍କୁଲକୁ ରୂପାନ୍ତର ପ୍ରକ୍ରିୟାରେ ସାମିଲ କରାଯାଇଛି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି । ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ୱାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡ଼ିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢ଼ିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ତେଣୁ ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉକ୍ରର୍ଷତା ହାସଲ ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।
ପିଲାମାନଙ୍କୁ ୫-ଟି ମହତ୍ତ୍ୱ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ୍ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ୱାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, କମ୍ପୁ୍ୟଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ୍ ବା ସମୟକୁ ଗୁରୁତ୍ୱ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍ ସମୟରେ କାର୍ଯ୍ୟ ଶେଷ ହୋଇଛି । ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି । ଭିଜନ ଡକୁ୍ୟମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି । ଏହି ସ୍ୱଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜ୍ମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରୀ ଜିଲ୍ଲାସ୍କୁଲ ପରିସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବିଦ୍ୟାଳୟ ରୂପାନ୍ତରଣ ପରେ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ ହେଉଛନ୍ତି ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି କହିଥିଲେ । ଜିଲ୍ଲା ସ୍କୁଲ ଛାତ୍ରୀ ସ୍ୱୟଂସ୍ନିଗ୍ଧା ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରି ଖୁସିବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।