ଉକ୍ରର୍ଷ ହାସଲ ପାଇଁ ଚେଷ୍ଟା କର
ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର (ବୁ୍ୟରୋ): ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି । ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ । ଏହାଦ୍ୱାରା ପଢିବାରେ ଆମର ଆଗ୍ରହ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଯୋଗୁ ସ୍କୁଲ ଏବେ ଆମର ସବୁଠାରୁ ପସନ୍ଦର ସ୍ଥାନ ହୋଇଛି ।
ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ଏହି ଅବସରରେ ଆଲୋଚନାରେ ଭାଗ ନେଇ ବାଲେଶ୍ୱରରୁ ପ୍ରଜ୍ଞାସ୍ମିତା, ପୁରୀରୁ ସ୍ୱୟଂସ୍ନିଗ୍ଧା, ନୟାଗଡରୁ ପ୍ରତ୍ୟାଶା, ଜଗତସିଂହପୁରରୁ ବିନ୍ଦୁଜା ଓ ଭଦ୍ରକରୁ ସୋନାଲି ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ । ବେସରକାରୀ ସ୍କୁଲ୍ ଠାରୁ ଆମ ସ୍କୁଲ୍ ଏବେ ବହୁ ଆଗରେ ବୋଲି ପିଲାମାନେ ମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୧୩୫ଟି ହାଇସ୍କୁଲ, ପୁରୀର ୯୫ଟି, ନୟାଗଡର ୬୦ଟି, ଜଗତସିଂହପୁରର ୭୫ଟି ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ଏହି ଅବସରରେ ପିଲାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ତେଣୁ ପାଠ ହେଉ ବା ଖେଳ, ନିଜ ନିଜ କ୍ଷେତ୍ରରେ ଉକ୍ରର୍ଷତା ହାସଲ ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପିଲାଙ୍କୁ ୫-ଟି ମହତ୍ତ୍ୱ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ୍ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଡଃ ଅରୁଣ କୁମାର ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଓ ବିଧାୟକ ଡଃ ବ୍ୟୋମକେଶ ରାୟ ପ୍ରମୁଖ ସେମାନଙ୍କ ଭାଷଣରେ ସ୍କୁଲ ରୂପାନ୍ତର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିଦେ୍ର୍ଦଶକ ଧନ୍ୟବାଦ ଦେଇଥିଲେ ।