ବଦଳିଲା ସିଡିଏସ୍ ନିଯୁକ୍ତି ନିୟମ
ନୂଆଦିଲ୍ଲୀ, ୭ା୬: କେନ୍ଦ୍ର ସରକାର ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତି ପୂର୍ବରୁ ଆର୍ମି ସର୍ଭିସ୍ ରୁଲ୍ସରେ ବଡ ପରିବର୍ତ୍ତନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏଣିକି ସିଡିଏସ୍ ପଦ ପାଇଁ ୬୨ ବର୍ଷରୁ କମ୍ ବୟସର ଲେଫ୍ଟନାଣ୍ଟ ଜେନେରାଲ୍ ର୍ୟାଙ୍କର ଥ୍ରୀ ଷ୍ଟାର ଅଫିସରଙ୍କୁ ମଧ୍ୟ ଚୟନ କରାଯାଇ ପାରିବ । ଏପର୍ଯ୍ୟନ୍ତ ଜେନେରାଲ୍ ରାଙ୍କ ଅର୍ଥାତ୍ ଫୋର୍ ଷ୍ଟାର ସେନା ଅଧିକାରୀ ସିଡିଏସ୍ ପଦ ପର୍ଯ୍ୟନ୍ତ ଉନ୍ନୀତ ହୋଇପାରୁଥିଲେ ।
ସ୍ଥଳସେନା, ବାୟୁସେନା ଓ ନୌସେନା ପାଇଁ ଜାରି ହୋଇଥିବା ଗେଜେଟ୍ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏଣିକି ଜେନେରାଲ୍ (ବା ଏୟାର ଚିଫ୍ ମାର୍ଶାଲ୍ ଓ ଆଡମିରାଲ୍) ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ (କିମ୍ବା ଏୟାର ମାର୍ଶାଲ୍ ଓ ଭାଇସ୍ ଆଡମିରାଲ୍) ର୍ୟାଙ୍କର ଅଧିକାରୀ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହେବେ । ଏହାଛଡ଼ା ୬୨ ବର୍ଷରୁ କମ୍ ବୟସର ଅବସରପ୍ରାପ୍ତ ଜେନେରାଲ୍ ଓ ଲେଫ୍ଟନାଣ୍ଟ ଜେନେରାଲ୍ଙ୍କୁ ମଧ୍ୟ ସିଡିଏସ୍ ରୂପେ ନିଯୁକ୍ତି ଦିଆଯାଇପାରିବ ।
୨୦୦୧ ଡିସେମ୍ବରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସ୍ରେ ପରଲୋକ ଘଟିଥିଲା । ତା’ପରଠୁ ଛଅ ମାସ ହେଲା ଖାଲି ପଡ଼ିଥିବା ସିଡିଏସ୍ ପଦରେ ନିଯୁକ୍ତି ପାଇଁ ସରକାର ତତ୍ପର ହୋଇଛନ୍ତି । ଗତ ମାସ ୨୫ ତାରିଖ ଦିନ କେନ୍ଦ୍ର ସରକାର ତିନି ବାହିନୀର ବରିଷ୍ଠ ସେବାରତ ଓ ୨୦୨୦ ମସିହା ପରେ ସେବାନିବୃତ ଅଧିକାରୀମାନଙ୍କ ନାମ ମଗାଇଥିଲେ ।