ସିଏଲ୍ଏଫ୍ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ
ଭଦ୍ରକ (ଆପ୍ର): ଭଦ୍ରକ ପୌରାଞ୍ଚଳର ୩୦ ୱାର୍ଡ଼ ତଥା ବାସୁଦେବପୁର ପୌରାଞ୍ଚଳ ଓ ଧାମନଗର, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ଏସ୍ଏଚ୍ଜି ନେତୃତ୍ୱଙ୍କୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ ଦାବିରେ ସାଳନ୍ଦୀ ସହରସ୍ତରୀୟ ମହାସଂଘ (ସିଏଲଏଫ) ପକ୍ଷରୁ ଜିଲ୍ଲାପାଳ ଅଫିସ୍ ଘେରାଉ କରାଯାଇଛି । ସିଏଲ୍ଏଫ୍ ସମ୍ପାଦିକା ଜୟନ୍ତୀ ବିଶ୍ୱାଳଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରା ଗାନ୍ଧୀ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ସହ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ କରିଥିଲେ ।
ସିଏଲଏଫର ସଭାନେତ୍ରୀ ଉର୍ମିଳା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏସ୍ଏଚ୍ଜି ସଭାନେତ୍ରୀ ଓ ସଂପାଦିକାଙ୍କ ମାସିକ ପାରିଶ୍ରାମିକ ୫ହଜାର ଟଙ୍କା ପ୍ରଦାନ ସାଙ୍ଗକୁ ପରିଚୟପତ୍ର ଓ ପୋଷାକ ବାବଦକୁ ୨ହଜାର ଟଙ୍କା ପ୍ରଦାନ, ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସଂପାଦିକାଙ୍କୁ ମାସିକ ବେତନ ୧୦ ହଜାର ସହିତ ସେମାନଙ୍କ ପରିଚୟପତ୍ର ଓ ପୋଷାକ ବାବଦରେ ୨ହଜାର ଟଙ୍କା ଓ ବୀମା, ଗୋଷ୍ଠି ଗୁଡ଼ିକର ସୁପରିଚାଳନା ପାଇଁ ସଭାନେତ୍ରୀ, ସଂପାଦିକା ଓ ସିଆରପିଙ୍କୁ ସ୍ମାର୍ଟ ଫୋନ ଯୋଗାଇବା ସମେତ ୧୦ଦଫା ସମ୍ବଳିତ ଅନ୍ୟ ଦାବି ଉପସ୍ଥାପନା କରାଯାଇଥିଲା ।
ଉପ ସଭାନେତ୍ରୀ ଭାରତୀ ପଣ୍ଡା, ନମିତା ମିଶ୍ର, ସୁରାତନ ନେସା, ପୁଷ୍ପାଞ୍ଜଳୀ ଘଡ଼େଇ, ଖାତାରସୁନ ନେସାଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପରେ ସଂଗଠନର ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।