ଜାତିସଂଘରେ ଉଠିଲା ପ୍ରଫେଟ୍ ବିବାଦ
ଜେନିଭା (ଏଜେନ୍ସି): ପ୍ରଫେଟ୍ (ମହାପୁରୁଷ) ମହମ୍ମଦଙ୍କ ସମ୍ପର୍କରେ ବିଜେପି ମୁଖପାତ୍ରଙ୍କ (ନିଲମ୍ବିତ) ବିବାଦୀୟ ବୟାନ୍କୁ ନେଇ ଏବେ ଦେଶ ବିଦେଶରେ ତୀବ୍ର ଉତ୍ତେଜନା ଜାରି ରହିଛି । ଭାରତରେ ଏବେ ଏହା ଏକ ମୁଖ୍ୟ ରାଜନୈତିକ ମୁଦ୍ଦା ପାଲଟିଯାଇଛି । ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଏବେ ମୁଦ୍ଦା କରିବା ପୂର୍ବକ କେନ୍ଦ୍ର ସରକାରକୁ ଘେରାଉ କରିବାରେ ଲାଗିପଡ଼ିଛନ୍ତି । ସେହିପରି ଅନେକ ଜାତୀୟ ମୁସଲିମ୍ ସଂଗଠନ ପକ୍ଷରୁ ବିବାଦୀୟ ବୟାନ୍ ଦେଇଥିବା ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ଗିରଫଦାରି ଦାବି ଜୋରଦାର କରାଯାଉଛି । କେବଳ ଦେଶରେ ନୁହେଁ ବରଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିଶେଷକରି ଇସଲାମିକ୍ ରାଷ୍ଟ୍ରଗୁଡ଼ିକ ଭାରତକୁ ଏପ୍ରକାର ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିବାକୁ ଚାପ ପକାଉଛନ୍ତି । ସେହିପରି ସାଉଦିଆରବ, କୁଏତ୍, ଇରାନ୍, ଆଫଗାନିସ୍ତାନ ଭଳି ଦେଶରେ ଭାରତୀୟ ଖାଦ୍ୟ ସାମଗ୍ରୀକୁ ବର୍ଜନ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ଏହି ପ୍ରସଙ୍ଗ ଏବେ ଜାତିସଂଘ ପର୍ଯ୍ୟନ୍ତ ପହଞ୍ଚôଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁସାରେ ଇସଲାମିକ୍ ରାଷ୍ଟ୍ରଙ୍କ ମଧ୍ୟରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଏଥିରେ ଅନ୍ତର୍ଜାତୀୟ ସଂଗଠନ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହନଶୀଳତାକୁ ଦୃଢ଼ ଭାବରେ ସମର୍ଥନ କରିଥାଏ ବୋଲି ଦର୍ଶାଯାଇଛି । ପାକିସ୍ତାନ ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇଥିବା ବେଳେ ଏହି ପ୍ରସଙ୍ଗରେ ଜାତିସଂଘ ମହାସଚିବଙ୍କ ପ୍ରତିକ୍ରିୟା ଦାବି କରିଥିଲେ । ଏହା ଉପରେ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ସାମ୍ନାକୁ ଆସିଥିବା ବୟାନ୍ କେବଳ ବ୍ୟକ୍ତିବିଶେଷଙ୍କ ନିଜସ୍ୱ ମତ । ଏହା ଭାରତ ସରକାରଙ୍କ ମତକୁ ପ୍ରତିଫଳିତ କରୁନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି । ଏତଦ୍ବ୍ୟତୀତ ବିବାଦୀୟ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଦଳୀୟ ମୁଖପାତ୍ରଙ୍କ ପାଇଁ ବିଜେପି ଲକ୍ଷ୍ମଣ ରେଖା (ଗାଇଡଲାଇନ୍ ଜାରି) ଟାଣିଥିବା ଜଣାପଡିଛି । ଧର୍ମ ସମ୍ବନ୍ଧୀତ ବିତର୍କରେ ସାମିଲ ହେଉଥିବା ନେତା ତଥା ମୁଖପାତ୍ରମାନଙ୍କୁ ଏଣିକି କୌଣସି ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଉପରେ ଦଳ ଶକ୍ତ କଟକଣା ଲଗାଇଛି । ମୁଖପାତ୍ରମାନଙ୍କୁ ଶବ୍ଦ ଉଚ୍ଚାରଣରେ ସଂଜମତା ରକ୍ଷା ସହ ଦଳର ଆଦର୍ଶକୁ ମଧ୍ୟ ସମ୍ମାନ ଦେବା ଭଳି ମତମନ୍ତବ୍ୟ ଦେବାକୁ ହେବ । କେବଳ ସ୍ୱୀକୃତିପ୍ରାପ୍ତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନେ ହିଁ ଟିଭି ବିତର୍କରେ ଭାଗ ନେଇପାରିବେ । ସେହିପରି କିଏ କେଉଁ ବିଷୟରେ ବିତର୍କ କରିବ, ସେକଥା ବିଜେପି ମିଡିଆ ସେଲ୍ରେ ସ୍ଥିର କରାଯିବ । ମୁଖପାତ୍ରମାନେ କୌଣସି ଧର୍ମ, ଏହାର ଚିହ୍ନ କିମ୍ବା ଧର୍ମୀୟ ବ୍ୟକ୍ତିବିଶେଷଙ୍କୁ ସମାଲୋଚନା କରିବେ ନାହିଁ । ଗରମାଗରମୀ ବିତର୍କ ବେଳେ ବିଜେପି ମୁଖପାତ୍ରମାନେ କେବେ ହେଲେ ନିଜର ସୀମା ଅତିକ୍ରମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସତର୍କ କରାଯାଇଛି । ଟିଭି ବିତର୍କ ପୂର୍ବରୁ ସେମାନେ ଭଲ ଭାବେ ବିଷୟବସ୍ତୁକୁ ବୁଝିବେ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବେ । ଦଳର ଏଜେଣ୍ଡା ଓ ସୀମାକୁ ଭଲ ଭାବେ ବୁଝି ମୁଖପାତ୍ରମାନେ ଟିଭି ବିତର୍କକୁ ଯିବେ । ବିତର୍କ ବେଳେ ସେମାନେ କାହା କଥାରେ ଉତ୍ତେଜିତ ହେବେ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିକ୍ରିୟାଶୀଳ ହେବେ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଏସବୁ ସହ ଦଳ ପକ୍ଷରୁ ଧର୍ମ ଉପରେ ବିବାଦୀୟ ବୟାନବାଜି କରୁଥିବା ପ୍ରାୟ ୩୮ ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ବିଜେପି । ଏମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ବିବାଦୀୟ ବୟାନବାଜୀରୁ ଦୂରେଇ ରହିବାକୁ ଦଳ ପରାମର୍ଶ ଦେଇଛି ।
ସୂଚନାଯୋଗ୍ୟ, ନୂପୁର ଶର୍ମା ଏକ ଟିଭି ବିତର୍କରେ ଭାଗ ନେଇଥିବା ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରିଥିଲେ । ଏଥିସହ ଦିଲ୍ଲୀ ବିଜେପିର ମିଡିଆ ଇନ୍ଚାର୍ଜ ଥିବା ନବୀନ କୁମାର ଜିନ୍ଦଲ ମଧ୍ୟ ଟ୍ୱିଟରରେ ଅଭଦ୍ର ଟିପ୍ପଣୀ କରିଥିଲେ । ଏହାକୁ ନେଇ ଭାରତକୁ ଅନ୍ତର୍ଜାତୀୟସ୍ତରରେ ଏବେ ସମାଲୋଚିତ ହେବାକୁ ପଡ଼ିଛି । ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ବିଜେପି ଉଭୟ ନୂପୁର ଶର୍ମାଙ୍କୁ ନିଲମ୍ବିତ ଓ ଜିନ୍ଦଲଙ୍କୁ ବହିଷ୍କାର କରିଛି ।