ସର୍ବନିମ୍ନ ସ୍ତରକୁ ଖସିଲା ଭାରତ

ନୂଆଦିଲ୍ଲୀ (ଏଜେନ୍ସି): ଗତ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ତେବେ ପରିବେଶ ସଂରକ୍ଷଣ ନେଇ ସମଗ୍ର ବିଶ୍ୱରେ ଏକ ଅଭିଯାନ ଚଳାଇବା ଉଦେ୍ଦଶ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି । ପରିବେଶର ସୁରକ୍ଷା ପାଇଁ ବିଶ୍ୱର ପ୍ରତ୍ୟେକ ଦେଶ ନିଜ ହିସାବରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ଭାରତରେ ମଧ୍ୟ ଏହି ଅଭିଯାନ ଜାରି ରହିଛି । ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ଭାରତ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ତେବେ ଏହି ଅଭିଯାନ ଭାରତ ପାଇଁ କେତେଦୂର ସଫଳ ହୋଇଛି ସେସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ବିଶ୍ୱସ୍ତରରେ ପ୍ରକାଶ ପାଇଥିବା ଏନ୍ଭାଇରନ୍ମେଣ୍ଟାଲ ପରଫରମାନ୍ସ ଇଣ୍ଡେକ୍ସ (ଇପିଆଇ) -୨ଠ୨୨ ପ୍ରଦର୍ଶନ ସୂଚକାଙ୍କ ବା ଏକ ର୍ୟାଙ୍କ୍କାର୍ଡ ଉପରେ ଥରୁଟେ ଦୃଷ୍ଟି ପକାଇବା ଜରୁରି ହୋଇପଡିଛି । ଡେନ୍ମାର୍କ ଏହି ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛି ।
ପରିତାପର ବିଷୟ ପରିବେଶ ସଂରକ୍ଷଣ ଦୃଷ୍ଟିରୁ ବିଶ୍ୱର ୧୮ଠଟି ଦେଶ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ସର୍ବନିମ୍ନରେ ଅର୍ଥାତ୍ ୧୮ଠତମ ସ୍ଥାନରେ ରହିଛି । ଏପରିକି ମିଆଁମାର, ଭିଏତନାମ୍, ବାଂଲାଦେଶ ଏବଂ ପାକିସ୍ତାନ ଠାରୁ ମଧ୍ୟ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଗତ ଦଶନ୍ଧୀ ମଧ୍ୟରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଯେତେବେଳେ କୋଇଲା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ଲାଗିଛନ୍ତି, ସେତେବେଳେ ଭାରତ କୋଇଲା ଉତ୍ତୋଳନ ଏବଂ ବ୍ୟବହାର ହାରକୁ ବୃଦ୍ଧି କରିଛି । ଯେଉଁ କାରଣରୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) ନିର୍ଗମନ ପରିମାଣ ବୃଦ୍ଧି ପାଉଛି, ଯାହାକି ଚିନ୍ତାର ବିଷୟ । ସେହିପରି ଭୂତଳ ଜଳ ଅପଚୟ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ରହିଛି । ଏତଦ୍ବ୍ୟତୀତ ନୀତିଗତ ଢ଼ାଞ୍ଚା କ୍ଷେତ୍ରରେ ପରିବେଶ ସହ ଜଡିତ ଆଇନକୁ ମଜବୁତ୍ କରିବା ପରିବର୍ତ୍ତେ ଭାରତ ସରକାର ନୂଆଇ ଆଇନ୍ ପ୍ରଣୟନ କରିବା ଦ୍ୱାରା ପରିବେଶ ସଂରକ୍ଷଣ ତଥା ସୁରକ୍ଷା କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ନୀତିଗୁଡ଼ିକ ଦୁର୍ବଳ ହୋଇପଡୁଛି । ନୀତିଗୁଡ଼ିକ କୋଷ୍ଟାଲ ରେଗୁଲେଶନ ଜୋନ୍, ୱାଇଲ୍ଡ ଲାଇଫ ଆକ୍ଟ, ଜଙ୍ଗଲରେ ଖଣି ଖନନକୁ ରୋକିବା ପାଇଁ ଉଦ୍ଦିଷ୍ଟ ହେବା ଜରୁରି । ପରିବେଶକୁ ବଞ୍ଚାଇବା ପରିବର୍ତ୍ତେ ଭାରତ ସରକାର ଶିଳ୍ପୋଦ୍ୟୋଗକୁ ପ୍ରୋତ୍ସାହିତ କରୁଛନ୍ତି । ଶିଳ୍ପ ପ୍ରକଳ୍ପ ଯୋଗୁଁ ପଶ୍ଚିମ ଘାଟ ପର୍ବତମାଳା ଉପରେ ବିପଦ ଘନେଇଛି । ଭାରତର ବାୟୁମଣ୍ଡଳ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ପ୍ରାଣୀମାନଙ୍କ ପାଇଁ ସରକାର କୌଣସି ଚିନ୍ତା କରୁ ନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଇପିଆଇ ରିପୋର୍ଟ ଅନୁସାରେ ଯଦି ବର୍ତ୍ତମାନର ହାରରେ ଅଙ୍ଗାରକାମ୍ଳ ନିର୍ଗମନ ଜାରି ରୁହେ ତେବେ ୨ଠ୫ଠ ସୁଦ୍ଧା ଭାରତ, ଚୀନ୍, ଆମେରିକା ଏବଂ ରୁଷ୍ ଆଦି ୪ ଦେଶ କେବଳ ୫ଠ% ଗ୍ରୀନ୍ ହାଉସ୍ ଗ୍ୟାସ ପାଇଁ ଦାୟୀ ରହିବେ । ଚୀନ୍ ଏହି ତାଲିକାର ୧୬୧ତମ ସ୍ଥାନରେ ରହିଥିବା ବେଳେ ରୁଷ୍ ୧୧୨ ତମ ସ୍ଥାନରେ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *