ଶ୍ରଦ୍ଧାଳୁଙ୍କୁ ୩ ଘଣ୍ଟା ଦର୍ଶନ ଅନୁମତି
ଶ୍ରୀମନ୍ଦିର ପରିଚାଳନା ବୈଠକରେ ନୀତିନିର୍ଘଣ୍ଟକୁ ମୋହର
ପୁରୀ (ବୁ୍ୟରୋ): ଆସନ୍ତା ୧୪ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୧ରେ ରଥଯାତ୍ରା, ଏହାପରେ ବାହୁଡା, ସୁନାବେଶ, ଅଧରପଣା, ନୀଳାଦି୍ରବିଜେ ନୀତି ସମ୍ପନ୍ନ ହେବ । କରୋନା ଯୋଗୁ ଦୁଇବର୍ଷ ଶ୍ରଦ୍ଧାଳୁବିହୀନ ରଥଯାତ୍ରା ଓ ସ୍ନାନ ଯାତ୍ରା ରହିଥିଲା । ଏବର୍ଷ କଟକଣା ପ୍ରତ୍ୟାହାର କରାଯାଇଥିବାରୁ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ତେଣୁ ଏସବୁ ଯାନିଯାତ୍ରାକୁ ଶୃଙ୍ଖଳିତ କରିବା ଓ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ କରିବା ସଂକ୍ରାନ୍ତରେ ଆଲୋଚନା ନିମିତ୍ତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈ÷ଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦି୍ରବିଜେ ପର୍ଯ୍ୟନ୍ତ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯିବା ସହିତ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡାଯାତ୍ରା ବ୍ୟବସ୍ଥାବଳୀ ମଧ୍ୟ ଗୃହୀତ ହୋଇଛି ।
ସ୍ନାନପୂଣ୍ମିମା ଦିନ ପ୍ରାୟ ୩ ଘଣ୍ଟା ଶ୍ରଦ୍ଧାଳୁଙ୍କୁ ସ୍ନାନମଣ୍ଡପକୁ ଦର୍ଶନ ପାଇଁ ଛଡାଯିବ । କିନ୍ତୁ ଦର୍ଶନ ସମୟରେ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ୧୪ ତାରିଖ ଦେବସ୍ନାନ ପୂର୍ଣ୍ଣିିମାର ପୁର୍ବ ରାତି ସାଢେ ୩ଟାରେ ମଙ୍ଗଳାର୍ପଣ ସରି ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ । ସକାଳ ୬ଟାରେ ପହଣ୍ଡି ଶେଷ କରାଯାଇ ସାଢେ ୬ ଟାରେ ମଙ୍ଗଳଆଳତି ହେବ । ପୂର୍ବାହ୍ନ ସାଢେ ୯ଟାରୁ ସାଢେ ୧୧ଟା ମଧ୍ୟରେ ଜଳବିଜେ ପୂଜା ଓ ଠାକୁରଙ୍କ ସ୍ନାନ ସରିବ । ମଧ୍ୟାହ୍ନ ୧୨.୧୫ରେ ସ୍ନାନମଣ୍ଡପରେ ଛେରାପହଁରା ପରେ ୧୨.୩୦ରୁ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ଠାକୁରଙ୍କୁ ହାତୀବେଶରେ ସୁସଜ୍ଜିତ କରାଯିବ । କିନ୍ତୁ ମଙ୍ଗଳଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ଭକ୍ତମାନେ ସ୍ନାନବେଦୀ ତଳେ ଦର୍ଶନ କରିପାରିବେ । ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ସାହାଣମେଲା ଦର୍ଶନ ରହିଛି । ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଠାକୁରମାନଙ୍କୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ ।
ସେହିଭଳି ସ୍ନାନ ଯାତ୍ରାର ବାହୁଡା ପହଣ୍ଡି ରାତି ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ । ଜୁଲାଇ ୧ରେ ଘୋଷଯାତ୍ରା । ସେଦିନ ପୂର୍ବାହ୍ନ ୯ଟାରେ ରଥ ପ୍ରତିଷ୍ଠା ହୋଇ ୯ଟା୧୫ରେ ମଙ୍ଗଳାର୍ପଣ ଓ ସାଢେ ୯ଟାରୁ ଆରମ୍ଭ ହେବ ପହଣ୍ଡି । ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ । ଚିତା ଲାଗି ପରେ ବେଶ ଶେଷ ହେବ । ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ ଓ ଚାରମାଳ ଫିଟାଯାଇ ଘୋଡା ଏବଂ ସାରଥି ଲାଗିବେ । ଠିକ୍ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ଜୁଲାଇ ୯ ତାରିଖ ବାହୁଡାଯାତ୍ରା ଦିନ ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ସାଢେ ୨ଟାରେ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ହୋଇ ଅପରାହ୍ଣ ୪ଟାରେ ରଥଟଣା ଯିବ ।
୧୦ତାରିଖ ଅପରାହ୍ଣ ୫ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ରଥ ଉପରେ ଶ୍ରୀଜିଉଙ୍କୁ ସୁନାବେଶରେ ସୁସଜ୍ଜିତ କରାଯିବ । ବିଳମ୍ବିତ ରାତିରେ ବେଶ ମଇଲମ କରାଯିବ । ୧୧ ତାରିଖରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ୧୨ରେ ନୀଳାଦି୍ରବିଜେ ହେବ । ଉକ୍ତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।