ଫ୍ରାନ୍ସରେ ପ୍ରସ୍ତୁତ ହେଉଛି ‘ସୂର୍ଯ୍ୟ’
ଶକ୍ତି ସଂକଟ କ୍ଷେତ୍ରରେ କ୍ରାନ୍ତିକାରୀ ପଦକ୍ଷେପ
ପ୍ୟାରିସ୍ (ଏଜେନ୍ସି): ଆଗାମୀ ଭବିଷ୍ୟତରେ ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରରେ ଏକ ବୃହତ୍ ସଂକଟ ସୃଷ୍ଟି ହେବା ଆଶଙ୍କାକୁ କଦାପି ଏଡାଇଦିଆଯାଇନପାରେ । ଏଥିପାଇଁ ସମଗ୍ର ବିଶ୍ୱ ଏବେ ଉର୍ଜାର ବିକଳ୍ପ ସନ୍ଧାନରେ ଲାଗିପଡ଼ିଛି । ତେବେ ଏଦିଗରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁସାରେ ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ପାହାଡ଼ି ଅଞ୍ଚଳରେ ସ୍ୱଚ୍ଛ ଉର୍ଜାର ସ୍ରୋତ ହାସଲ କରିବା ପାଇଁ ଏକ ‘ସୂର୍ଯ୍ୟ’ ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କାମରେ ଭାରତ ସମେତ ପ୍ରାୟ ୩୫ ଦେଶର ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି । ଯେତେବେଳେ ଏହି ସୂର୍ଯ୍ୟ’ର ନିର୍ମାଣ ପ୍ରକ୍ରିୟା ଶେଷ ହୋଇଯିବ ସେତେବେଳେ ମାନବ ଇତିହାସରେ ଉର୍ଜା (ଶକ୍ତି) କ୍ଷେତ୍ରରେ ଏକ ବଡ଼ ସଂକଟକୁ ଦୀର୍ଘସମୟ ପର୍ଯ୍ୟନ୍ତ ଟାଳିଦିଆଯାଇପାରିବ ବୋଲି ବୈଜ୍ଞାନିକମାନେ ଦୃଢ଼ୋକ୍ତି କରିଛନ୍ତି ।
ରିପୋର୍ଟ ଅନୁସାରେ ଏପ୍ରକାର ଏକ ସୂର୍ଯ୍ୟ ନିର୍ମାଣ ଠାରୁ ଫ୍ରାନ୍ସ ମାତ୍ର କିଛି ଦୂରରେ ରହିଛି । ଫ୍ରାନ୍ସ ଏଥିରେ ସଫଳ ହେଲେ ଏହି ସୂର୍ଯ୍ୟର ମାତ୍ର ୧ ଗ୍ରାମ ପରମାଣୁ ଇନ୍ଧନରୁ ୮ ଟନ୍ ତୈଳ ସମାନ ଉର୍ଜା ମିଳିପାରିବ । ବୈଜ୍ଞାନିକମାନେ ନୁ୍ୟକ୍ଲିଅର ଫୁ୍ୟଜନ୍ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି । ନୁ୍ୟକ୍ଲିଅର ଫୁ୍ୟଜନ୍ ଉପରେ ନିୟନ୍ତ୍ରଣ ମିଳିଯିବା ଦ୍ୱାରା ଏପ୍ରକାର ଏକ କୃତ୍ରିମ ସୂର୍ଯ୍ୟର ନିର୍ମାଣ ସମ୍ଭବ ହୋଇପାରିବ । ସୂଚନାଯୋଗ୍ୟ ସୌରମଣ୍ଡଳରେ ଥିବା ବାସ୍ତବ ସୂର୍ଯ୍ୟ ଏବଂ ଅନ୍ୟ ଗ୍ରହ ନକ୍ଷତ୍ରରେ ନୁ୍ୟକ୍ଲିଅର ଫୁ୍ୟଜନ୍ ପ୍ରକ୍ରିୟା ପ୍ରାକୃତିକ ରୂପେ ହୋଇଥାଏ, ଯାହାଦ୍ୱାରା ସେମାନଙ୍କ ଠାରେ ଔଜଲ୍ୟତା ପରିପ୍ରକାଶ ପାଇଥାଏ । ନୁ୍ୟକ୍ଲିଅର ଫୁ୍ୟଜନ୍ ଜରିଆରେ ଜୀବାସ୍ମ ଇନ୍ଧନର ବିପରୀତ ଅସୀମିତ ଉର୍ଜା ପ୍ରାପ୍ତ ହୋଇଥାଏ । ଏଥିରେ ସାମାନ୍ୟତମ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ହୋଇନଥାଏ । ସୁତରାଂ ଏହାଦ୍ୱାରା ରେଡିଓ ଆକ୍ଟିଭ୍ ଆବର୍ଜନାରୁ ମଧ୍ୟ ମୁକ୍ତି ମିଳିବା ଆଶା ସଞ୍ଚାର ହୋଇଛି ।