ରେକର୍ଡ ନୁହେଁ, ମ୍ୟାଚ୍ ଉପରେ ଫୋକସ୍
ଦ. ଆଫ୍ରିକା ଶୃଙ୍ଖଳା ପାଇଁ ଟିମ୍ର ପ୍ରସ୍ତୁତି ବିଷୟରେ ଜଣାଇଲେ ଦ୍ରାବିଡ଼
ନୂଆଦିଲ୍ଲୀ, ୭ା୬ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍ ୯ରୁ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ର ଟି-୨୦ ଶୃଙ୍ଖଳା ଖେଳିବ । ଶୃଙ୍ଖଳା ପୂର୍ବରୁ ଭାରତୀୟ ଟିମ୍ର କୋଚ୍ ରାହୁଲ ଦ୍ରାବିଡ଼ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଡକାଇ ଟିମ୍ର ପ୍ରସ୍ତୁତି ବିଷୟରେ ଜଣାଇଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯଦି ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ଜିତେ, ତା’ହେଲେ ପ୍ରଥମ ଟିମ୍ ଭାବେ ଲଗାତାର ୧୩ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଜିତିବାର ରେକର୍ଡ କରିବ । ଏହାକୁ ନେଇ ଦ୍ରାବିଡ଼ କହିଛନ୍ତି, “ମୁଁ କୌଣସି ରେକର୍ଡ ବିଷୟରେ ଚିନ୍ତା କରୁ ନାହିଁ । ଆମକୁ ଖେଳିବାର ଅଛି ଓ ଜିତିବାର ଅଛି । ଯଦି ଆମେ ଭଲ ଖେଳିବୁନି, ତା’ହେଲେ ଆଗକୁ ଏହି ପରାଜୟରୁ ଆମକୁ ଶିକ୍ଷାଲାଭ କରିବାକୁ ହେବ । ଟିମ୍ର କେବଳ ଏ କଥା ଉପରେ ଫୋକସ୍ ଅଛି ।”
କାର୍ତ୍ତିକ ହେବେ ମ୍ୟାଚ୍ ଫିନିଶର୍
ତିନି ବର୍ଷ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିବା ଦିନେଶ କାର୍ତ୍ତିକଙ୍କ ସମ୍ପର୍କରେ ଦ୍ରାବିଡ଼ କହିଛନ୍ତି, “ଦିନେଶଙ୍କୁ ଏକ ସ୍ପଷ୍ଟ ଭୂମିକା ଦିଆଯାଇଛି । ତାଙ୍କୁ ମ୍ୟାଚ୍ ଶେଷ କରିବାର ଦାୟିତ୍ୱ ଦିଆଯାଇଛି । ଯେମିତି କାର୍ତ୍ତିକ ଆଇପିଏଲ୍ରେ କରି ଦେଖାଇଛନ୍ତି, ସେମିତି ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ କରିବାକୁ ହେବ । ଏହି କାରଣରୁ ତାଙ୍କୁ ଭାରତୀୟ ଟିମ୍ରେ ସ୍ଥାନ ବି ମିଳିଛି ।”
ସବୁ ଖେଳାଳି ସବୁ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରିବେନି
ଦ୍ରାବିଡ଼ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ କହିଛନ୍ତି, “ରୋହିତ ସବୁ ଫର୍ମାଟ୍ରେ ଖେଳାଳି । ଆପଣ ସବୁ ଖେଳାଳିଙ୍କୁ ସବୁ ମ୍ୟାଚ୍ ପାଇଁ ଉପଲବ୍ଧ କରାଇପାରିବେ ନାହିଁ । ଆମେ ଚାହୁଁଛୁ ଯେ ସେ ଫିଟ୍ ଓ ସତେଜ ରୁହନ୍ତୁ । ଯେତେବେଳେ ସେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବେ, ଜଣେ ଚାମ୍ପିଅନ୍ ଖେଳାଳି ହୋଇ ଆସିବେ । ଅନେକ ସମୟରେ ଆମକୁ ନିଜ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ପଡ଼େ ।
ହାର୍ଦ୍ଦିକଙ୍କୁ ପ୍ରଶଂସା କଲେ କୋଚ୍
ଦ୍ରାବିଡ଼ ଏ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ଦ୍ୱାରା ଆଇପିଏଲ୍ରେ କରାଯାଇଥିବା ଅଧିନାୟକତ୍ୱକୁ ମଧ୍ୟ ପ୍ରଶଂସା କରିଥିଲେ । କୋଚ୍ଙ୍କ କହିବାନୁଯାୟୀ, ହାର୍ଦ୍ଦିକଙ୍କୁ ବ୍ୟାଟିଂ କରୁଥିବାର ଦେଖି ଭଲ ଲାଗୁଛି ଏବଂ ଆମେ ତାଙ୍କଠାରୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଯୋଗଦାନ ଚାହୁଁଛୁ । ଉମରାନ ମଲିକଙ୍କ ସମ୍ପର୍କରେ ରାହୁଲ କହିଛନ୍ତି ଯେ ତାଙ୍କ ପାଖରେ ବେଗ ଅଛି ଏବଂ ସେ ସବୁ ସେସନ୍ରେ ସୁଧାର କରୁଛନ୍ତି । ତାଙ୍କୁ ଏବେ ବହୁତ କିଛି ଶିଖିବାର ଅଛି ।