ଚାଲିଛି ଗୟଳ ଓ ଚଉପଟ ନିର୍ମାଣ
ପୁରୀ (ବୁ୍ୟରୋ): ତିନି ରଥର ଚକ ଅଖ ସଂଯୋଗ ହୋଇ ଅବଶିଷ୍ଠ ଚକ ଡେରାପରେ, ଦିଗ ନିର୍ଣ୍ଣୟ ସହ ଚକ ଅଖଗୁଡ଼ିକୁ ଯୋଖା କରାଯାଇଥିଲା । ଆଜି ତିନିରଥର ଦଣ୍ଡା ପଡ଼ିବା ପରେ ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ତିନିରଥ ମହାରଣାମାନେ କରିଥିଲେ । ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରକାର ଖୋଦେଇ ସାରି ଦଣ୍ଡା ଏବଂ ଅଖକୁ ଖାପରେ ପକାଇ ଦଉଡ଼ିରେ ଟାଣଦେଇ ବାନ୍ଧି ଥିଲେ । ଏହାପରେ ପଞ୍ଚ ଦଣ୍ଡା ଆଗ ଏବଂ ପଛରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ମୁହାଁଟରେ ତିନୋଟି ଜଳଯନ୍ତ୍ର ସହ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଥିଲା । ବୁଧବାର ପଞ୍ଚ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ତିନିରଥର କମାର ସେକ, ତିନି ରଥ ମହାରଣା ଏବଂ ତିନିରଥର ଭୋଇ ସେବକଙ୍କ ସହଯୋଗରେ ସମ୍ପନ୍ନ ହେବ । ଏତଦ୍ ବ୍ୟତୀତ ନନ୍ଦିଘୋଷ ରଥର ମୋଟ ବାର ଗୋଟି ଗୟଳରୁ ୭ଗୋଟି ଗୟଳର ଚଉପଟ କରିଥିବା ବେଳେ, ତାଳଧ୍ୱଜ ରଥ ମହାରଣାମାନେ ୪ଗୋଟି ଗୟଳର ଚଉପଟ ଶେଷ କରି ଆଉ ଦୁଇଗୋଟି ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ଦେବଦଳନ ରଥର ମହାରଣାମାନେ ଦେବୀ ରଥର ୩ ଗୋଟି ଗୟଳର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି ।
ସେହିପରି ତିନିରଥର ରୂପକାର ସେକ ମାନେ ତିନି ରଥର ସିଂହାସନରେ କୁମ୍ଭ, ଡାଳି ଲତା ଏବଂ ପଦ୍ମ ପାଖୁଡ଼ା ଖୋଦେଇ କରିବା ସହ, ତିନିରଥର ଚାରି ଗୋଟି ଲେଖାଏ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଦୋଳବେଦୀସି୍ଥତ କମାର ଶାଳରେ ଓଝା ସେକମାନେ ଦଣ୍ଡା କଣ୍ଟା ସାଇତା ପରେ ତିନ ରଥ ଦଣ୍ଡାର ଉପରିଭାଗ ପାଇଁ କଣ୍ଟା ନିର୍ମାଣ କରୁଛନ୍ତି ।