ଏବେଠୁ ଫୋକସ୍ରେ ୨ଠ୨୪

ଭୁବନେଶ୍ୱର,୬ା୬(ବୁ୍ୟରୋ): ଆଗକୁ ୨ଠ୨୪ ସାଧାରଣ ନିର୍ବାଚନ । ଏଥିପାଇଁ ହାତରେ ସମୟ ଆଉ ୨ ବର୍ଷରୁ କମ୍ । ପଞ୍ଚାୟତ, ପୌର ନିର୍ବାଚନ ପରେ ପରେ ଏବେଠୁ ବିଜେଡିର ଫୋକସ୍ରେ ୨ଠ୨୪ । ସାଂଗଠନିକ ସ୍ଥିତିକୁ ଆହୁରି ମଜଭୁତ କରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରଖିବା ଉପରେ ଦଳ ଗୁରୁତ୍ୱ ଦେଉଛି । ତେବେ ଆଗକୁ ବିଜେଡିର ସାଂଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ଯେଉଁମାନେ ବାଦ୍ ପଡ଼ିଛନ୍ତି, ସେମାନଙ୍କୁ ସଂଗଠନରେ ଖୁବ୍ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି ।
୨ଠ୧୯ ସାଧାରଣ ନିର୍ବାଚନର ୨ ବର୍ଷ ପୂର୍ବରୁ ଯେପରି କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ କାଢ଼ି ସଂଗଠନ ଦାୟିତ୍ୱ ଦିଆଗଲା, ସେହି ଢାଞ୍ଚାରେ ନବୀନଙ୍କ ନୂଆ ଟିମ୍ରୁ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ସାଂଗଠନିକ ଦାୟିତ୍ୱ ମିଳିପାରେ । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ୧୧ ଜଣ ବାଦ୍ ପଡ଼ିଛନ୍ତି । ତେବେ ବିକ୍ରମ କେଶରୀ ଆରୁଖ୍ଙ୍କୁ ବାଦ୍ ଦେଇ ସୋମବାର ବିଦାୟୀ ୧ଠ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଡାକରା ପାଇ ନବୀନ ନିବାସ ଆସିଥିଲେ । ସେଠାରେ ଦୀର୍ଘ ସମୟ ସଂଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା । ମନ୍ତ୍ରୀପଦ ହରାଇଥିବାର ଦୁଃଖକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ହାଲ୍କା କରିବା ସହ ସାଂଗଠନିକ କାର୍ଯ୍ୟର ଗୁରୁତ୍ୱ ବୁଝାଇ ସେଥିରେ ସମ୍ପୂର୍ଣ୍ଣ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଶତପ୍ରତିଶତ ପାଳନ କରିବେ ବୋଲି ବିଦାୟୀ ମନ୍ତ୍ରୀମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, ବିଦାୟୀ ମନ୍ତ୍ରୀମାନଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା । ସେହି ଅନୁଯାୟୀ ଦିନ ପ୍ରାୟ ୧୧ଟା ବେଳେ ପ୍ରତାପ ଜେନା, ଡ. ଅରୁଣ ସାହୁ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପ୍ରେମାନନ୍ଦ ନାୟକ ଏବଂ ପଦ୍ମିନୀ ଦିଆନ୍‌ ଜଣ ଜଣ ହୋଇ ନବୀନ ନିବାସରେ ପହଞ୍ଚôଥିଲେ । ବିକ୍ରମ ଆରୁଖ ଆସିନଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ପ୍ରାୟ ୪୦ ମିନିଟ୍‌ କାଳ ଆଲୋଚନା କରିଥିବା ଜଣାପଡ଼ିଛି ।
ମନ୍ତ୍ରୀ ପଦ ଚାଲିଯାଇଥିବାରୁ ସ୍ୱାଭାବିକ ଭାବେ ଅଧିକାଂଶଙ୍କ ମନରେ ଦୁଃଖ କଷ୍ଟ ଆସିଛି । ସମ୍ଭବତଃ ଏହାକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭେଟିବାର ସୁଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ଯେ ପରଫରମାନ୍ସ ବା ଦକ୍ଷତା ଆଧାରରେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇନାହିଁ । ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ତେଣୁ ସେଥିପାଇଁ ମନରେ କାହାର ଅଲଗା ଧାରଣା ରହିବା ଉଚିତ୍‌ ନୁହେଁ । ବରଂ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସଂଗଠନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ଦଳ ପାଇଁ କାମ କରନ୍ତୁ ଏବଂ ସଂଗଠନ କଥା ବୁଝନ୍ତୁ ବୋଲି ନବୀନ ପରାମର୍ଶ ଦେଇଥିଲେ । ଖୁବ୍‌ଶୀଘ୍ର ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି । କୋଭିଡ୍‌ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରତାପ ଜେନା କହିଛନ୍ତି ଯେ ବିଜେଡି ସଂଗଠନକୁ କିଭଳି ଆହୁରି ମଜବୁତ କରାଯିବ ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସାଂଗଠନିକ ଦାୟିତ୍ୱ ନେଇ କାର୍ଯ୍ୟ କରିବାକୁ ଆମକୁ ପରାମର୍ଶ ଦେଲେ । ମନ୍ତ୍ରୀ ପଦ ସ୍ଥାୟୀ ପଦ ନୁହେଁ । ବରଂ ଓଡ଼ିଶାବାସୀ ବିଶେଷକରି ନିଜ ନିର୍ବାଚନମଣ୍ଡଳୀବାସୀଙ୍କ ସେବାରେ ନିଜର ଅବଦାନ ବଢ଼ାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସଂଗଠନ ଅଧିକ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ସଂଗଠନ ମଜବୁତ କରିବା ପାଇଁ ଆମେ ଅଧିକ କାର୍ଯ୍ୟ କରିବୁ । ରଘୁନନ୍ଦନ ଦାସ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଇଥିଲେ । ମନ୍ତ୍ରୀ ପାଇଁ ସେ ଲାଳାୟିତ ନ ଥିଲେ । ବ୍ୟକ୍ତିଗତ ସମସ୍ୟା ପାଇଁ ମନ୍ତ୍ରୀ ପଦ ଛାଡ଼ିବାର ଇଚ୍ଛାକୁ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବୋଲି କହିଛନ୍ତି । ତେବେ ଜଗତସିଂହପୁର ମନ୍ତ୍ରୀଶୂନ୍ୟ ହୋଇଥିବାରୁ ତାଙ୍କ ମନରେ ଟିକେ ଦୁଃଖ ରହିଯାଇଛି । ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ବଦଳରେ ମନ୍ତ୍ରୀ ହୋଇଥିଲେ ସେ ଅଧିକ ଖୁସି ହୋଇଥାନ୍ତେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ମନ୍ତ୍ରିମଣ୍ଡଳ ପରେ ନବୀନଙ୍କ ଦ୍ୱିତୀୟ ପ୍ଲାନ୍ ରହିଛି ସଙ୍ଗଠନକୁ ତୃଣମୂଳସ୍ତରରୁ ଆହୁରି ମଜବୁତ କରିବା । ଏଥିପାଇଁ ନବୀନ ଖୁବ୍ଶୀଘ୍ର ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିବେ ବୋଲି କୁହାଯାଉଛି । ସଙ୍ଗଠନ ଅଦଳବଦଳ ପରେ ନିଗମଗୁଡିକରେ ଅନେକ ନେତାଙ୍କୁ ସୁଯୋଗ ମିଳିପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *