ହନି ଟ୍ରାପ୍: ୩୫ଠଠ କୋଟିର ଖେଳ

ନୂଆଦିଲ୍ଲୀ, ୬ ।୬: ଭାରତରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ପାକିସ୍ତାନ ହଜାର ହଜାର କୋଟି ଟଙ୍କାର ଜାଲ ବିଛାଇଛି । ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ୩୦୦ ସୁନ୍ଦରୀ ତରୁଣୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ବଡ଼ ବଡ଼ ଅଫିସରଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି । ଗୁଇନ୍ଦା ତଥ୍ୟ ହାସଲ ପାଇଁ ଏହି ଯୁବତୀମାନେ ଯେକୌଣସି ସ୍ତରକୁ ଯାଇପାରିବେ; ଏପରିକି ସେମାନେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ପଛାଇବେ ନାହିଁ । ଭାରତୀୟ ଏଜେନ୍ସିମାନଙ୍କ ସତର୍କତା ଯୋଗୁ ଏ ଦିଗରେ ଆଇଏସ୍ଆଇକୁ ବିଶେଷ ସଫଳତା ମିଳିପାରି ନ ଥିଲେହେଁ ଆଗକୁ ପ୍ରତିକ୍ଷଣରେ ବିପଦ ରହିଛି ।
ଭାରତରେ ଗତ କିଛିମାସ ହେଲା ହନି ଟ୍ରାପ୍ ମାମଲା ଅଚାନକ ବଢ଼ିଛି । ପ୍ରାଚୀନ କାଳର ବିଷକନ୍ୟା ଭଳି ଆଇଏସ୍ଆଇ ତା’ର ତାଲିମପ୍ରାପ୍ତ ୩୦୦ ତରୁଣୀଙ୍କୁ ନେଇ ଆରମ୍ଭ କରିଛି ‘ପ୍ରୋଜେକ୍ଟ ଲାୟନେସ୍’ । ମେ ମାସରେ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଏକ ହନି ଟ୍ରାପ୍ ମଡୁ୍ୟଲ୍ ଧରିଥିଲେ । ଏହି ମଡୁ୍ୟଲ୍ ଫେସ୍ବୁକ୍ ହ୍ୟାଣ୍ଡଲ୍ ଏଫ୍ବି ଡଟ୍ କମ୍/ଶାନ୍ତି ଡଟ୍ ପୋର୍ଟାଲ୍ ଡଟ୍ ୮୯୭୩୭ର ଉପଯୋଗ କରୁଥିଲା । ଏହା ଜରିଆରେ ସେ ବହୁ ନିଷିଦ୍ଧ ତଥ୍ୟ ଚୋରାଇବାରେ ସଫଳ ହୋଇଥିଲା ।
ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଭାରତ ବିରୋଧରେ ଯେଉଁ ହନି ଟ୍ରାପ୍ ଜାଲ ବିଛାଇଛି, ସେଥିରେ ଉଭୟ ସେକ୍ସ ଓ କ୍ୟାସ୍ର ଉପଯୋଗ କରାଯାଉଛି । ଭାରତରେ ସାଧାରଣତଃ ଦୁଇ ପ୍ରକାର ହନି ଟ୍ରାପ୍ ମାମଲା ଦେଖିବାକୁ ମିଳୁଛି । ସମ୍ବେଦନଶୀଳ ପଦରେ ଅବସ୍ଥାପିତ ଅଧିକାରୀମାନଙ୍କ ଠାରୁ ଗୁଇନ୍ଦା ତଥ୍ୟ ହାସଲ ଲାଗି ଯୁବତୀମାନେ ଶାରୀରିକ ସମ୍ପର୍କ ସ୍ଥାପନ ପରେ ସେମାନଙ୍କୁ ବ୍ଲାକ୍ମେଲ୍ କରୁଛନ୍ତି । ଏଥିପାଇଁ ପାକିସ୍ତାନ ପ୍ରାୟ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ଯୋଜନା କରିଛି । ଦ୍ୱିତୀୟତଃ ଗୁଇନ୍ଦା ସୂଚନା ଦେବା ବଦଳରେ କ୍ୟାସ୍ ଅଫର୍ ଦିଆଯାଉଛି । ଆଇଏସ୍ଆଇ ଏଜେଣ୍ଟମାନେ ସମ୍ପୃକ୍ତ ଅଫିସରଙ୍କୁ ଗୋଟିଏ ଗୋଟିଏ ଗୁଇନ୍ଦା ସୂଚନା ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବା ପାଇଁ ପ୍ରସ୍ତୁତ । ତେବେ ସୂଚନା ଯୋଗାଉଥିବା ଅଫିସରଙ୍କ ପଦ ଓ ର୍ୟାଙ୍କ ତଥା ସୂଚନାର ଗୁରୁତ୍ୱ ଅନୁଯାୟୀ ଅର୍ଥରାଶି ନିର୍ଦ୍ଧାରିତ ହେଉଛି । ନିକଟରେ ଗୁଇନ୍ଦା ବୁ୍ୟରୋ (ଆଇବି) ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ ଭାରତୀୟ ସେନାରେ ଯୋଗ ଦେବାକୁ ଥିବା ବା ଯୋଗ ଦେବା ଲାଗି ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ଆଇଏସ୍ଆଇ ୨୦୧୭ରେ ଟାର୍ଗେଟ୍ କରିଥିଲା । ୨ଠଠ ଯୁବ ସୈନିକଙ୍କୁ ଟାର୍ଗେଟ କରି ପାକିସ୍ତାନୀ ଏଜଣ୍ଟେମାନେ ୫୦ରୁ ଅଧିକଙ୍କ ସହ ସମ୍ପର୍କ ସ୍ଥାପନ କରିପାରିଥିଲେ ।
ରୋହତକ୍ର ଗୌରବ କୁମାରଙ୍କୁ ଗିରଫ କରାଯିବାରୁ ଏହି କଥାର ପର୍ଦ୍ଦାଫାସ ହୋଇଥିଲା । ରୋହିତ ମୋଟ ୧୮ଟି ଆର୍ମି ଟ୍ରେନିଂ କ୍ୟାମ୍ପର ଫଟୋ ପଠାଇଥିଲେ । ପାକିସ୍ତାନୀ ଏଜେଣ୍ଟମାନେ ଫରିଦକୋଟ ସମେତ ଅନେକ ଆର୍ମି କ୍ୟାମ୍ପରେ ଅବସ୍ଥାପିତ ଅଫିସରମାନଙ୍କୁ ଫସାଇବା ପାଇଁ ମଡୁ୍ୟଲ୍ ସ୍ଥାପନ କରିଛନ୍ତି । ଏହି ମଡୁ୍ୟଲମାନେ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଥାଇ ଫରିଦକୋଟକୁ ରିପୋର୍ଟ କରୁଛନ୍ତି ।
ସୋସାଲ୍ ମିଡିଆରେ ମଧ୍ୟ ଆଇଏସ୍ଆଇର ଏହି ଖେଳ ଚାଲିଛି । ପ୍ରଥମେ ପାକ୍ ତରୁଣୀ ଏଜେଣ୍ଟମାନେ ନକଲି ପ୍ରୋଫାଇଲ ତିଆରି କରନ୍ତି । ତା’ ଜରିଆରେ ଚାଟିଂ ଆରମ୍ଭ କରନ୍ତି । ଉପଯୁକ୍ତ ଟାର୍ଗେଟ ମିଳିଗଲେ ସେମାନେ ହୁକ୍ଅପ୍ ଚାଟ୍ ସାଇଟ୍ ମାଧ୍ୟମରେ ସମ୍ପର୍କ ବଢ଼ାନ୍ତି । ସେହି ସାଇଟ୍ ମାଧ୍ୟମରେ ହିଁ ଗୁଇନ୍ଦା ତଥ୍ୟ ସେୟାର କରାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *