ଅନ୍ତର୍ଜାତୀୟସ୍ତରରେ ଝଡ଼
ନୂପୁର, ନବୀନଙ୍କ ପ୍ରଫେଟ୍ କମେଣ୍ଟ
ନୂଆଦିଲ୍ଲୀ/ ହାଇଦ୍ରାବାଦ୍ (ଏଜେନ୍ସି): ବିଜେପିର ଜାତୀୟ ମୁଖପାତ୍ର ନୂପୁର ଶର୍ମା ଏବଂ ଦଳର ଦିଲ୍ଲୀ ଶାଖା ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ଦେଶ ବିଦେଶରେ କଡ଼ା ବିରୋଧ କରାଯାଉଛି । ଉଭୟ ନୁପୁର ଏବଂ ନବୀନଙ୍କୁ ଦଳରୁ ନିଲମ୍ବିତ କରାଯାଇସାରିଥିଲେ ମଧ୍ୟ ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯିବା ଜାରି ରହିଛି । ବିଶେଷକରି କଂଗ୍ରେସ, ଟିଆରଏସ୍ ଏବଂ ଏଆଇଏମ୍ଆଇଏମ୍ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଉଛି । ଏସବୁ ମଧ୍ୟରେ ତାଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ହତ୍ୟା ଧମକ ମିଳିବା ଆରମ୍ଭ ହୋଇଯାଇଥିବା ନେଇ ନିଜେ ନୁପୁର ଲିଖିତ ଅଭିଯୋଗ ମଧ୍ୟ କରାଇଛନ୍ତି । ନୁପୁର କହିଛନ୍ତି ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିସାରିବା ପରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଉଛି । ଏପରିକି ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଉଛି । ଅନ୍ୟପକ୍ଷେ ନୁପୁରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁମ୍ବାଇ ପୁଲିସ୍ ଏବେ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି । ନୁପୁରଙ୍କ ବିରୋଧରେ ମୁମ୍ବାଇ ପୁଲିସ୍ ଆଇପିସି ଧାରା ୧୫୩ ଏ, ୫୦୬, ୫୦୮ ଏବଂ ୫୦୯ ଦଫାରେ ମାମଲା ରୁଜୁ କରିଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜେପିର ଅତ୍ୟନ୍ତ ଲଜ୍ଜିତ ଧର୍ମାନ୍ଧତା ନୀତି ଯୋଗୁ ଆଜି ବିଶ୍ୱ ଦରବାରରେ ଭାରତକୁ ଲଜ୍ଜିତ ତଥା ସମାଲୋଚିତ ହେବାକୁ ପଡିଛି । ଏହା ବିଜେପିର ପ୍ରକୃତ ଚରିତ୍ରକୁ ବାହାରେ ପକାଇଦେଇଛି । ଏଥିସହ ବିଜେପି ନେତାଙ୍କ ଏପ୍ରକାର ବିବାଦୀୟ ମନ୍ତବ୍ୟ ଯୋଗୁ ଭାରତ କେବଳ ବିଶ୍ୱ ମଞ୍ଚରେ ଏକୁଟିଆ ହୋଇଯାଇନି ବରଂ ଦେଶର ଛବି ମଧ୍ୟ ଖରାପ ହୋଇଯାଇଛି ।
ସେହିପରି ତେଲେଙ୍ଗାନା ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ନେତା ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ମନ୍ତ୍ରୀପୁଅ କେଟି ରାମାରାଓ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବିଜେପି ନେତ୍ରୀଙ୍କ ଏପ୍ରକାର ବିବାଦୀୟ ମନ୍ତବ୍ୟ ପାଇଁ ବିଶ୍ୱ ସମ୍ମୁଖରେ ଭାରତ ନୁହେଁ ବରଂ ବିଜେପି କ୍ଷମାପ୍ରାର୍ଥନା କରିବା ଉଚିତ୍ । ବିଜେପି ନେତାଙ୍କ ଘୃଣ୍ୟ ସାମ୍ପ୍ରଦାୟିକତାପୂର୍ଣ୍ଣ ବୟାନବାଜି ଯୋଗୁ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଦେଶ ପାଇଁ ବିଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏତଦ୍ବ୍ୟତୀତ ଏଆଇଏମ୍ଆଇଏମ୍ ପ୍ରମୁଖ ଅସାଉଦ୍ଦିନ୍ ଓୱୈସୀ ମଧ୍ୟ ଏହି ମାମଲାରେ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ଗିରଫଦାରୀ ଦାବି କରିଛନ୍ତି ।
ପ୍ରକାଶ, ନୁପୁର ଶର୍ମା ଏକ ଟିଭି ଡିବେଟ୍ କାର୍ଯ୍ୟକ୍ରମରେ ସାମିଲ ହେବା ପରିପ୍ରେକ୍ଷୀରେ ପ୍ରଫେଟ୍ ମହମ୍ମଦ୍ ଙ୍କ ସମ୍ପର୍କରେ ବିବାଦୀୟ ବୟାନ୍ ଦେଇଥିଲେ । ଏହାକୁ ନେଇ ଦେଶର ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେବା ସହ କାନ୍ପୁର ହିଂସାକାଣ୍ଡ ଭଳି ଅଘଟଣର ସୂତ୍ରପାତ ହୋଇଥିଲା । ଏହାକୁ ନେଇ ଯେତେବେଳେ ଦେଶବ୍ୟାପୀ ଚାପା ଉତ୍ତେଜନା ଜାରି ରହିଛି ସେତେବେଳେ ଏହାକୁ ଏକ ପ୍ରସଙ୍ଗ କରି କିଛି ଆରବୀୟ ଦେଶଗୁଡ଼ିକ ଭାରତକୁ ବିରୋଧ କରିବା ଦେଖିବାକୁ ମିଳୁଛି । କୁଏତ୍ ଭଳି ଆରବିକ୍ ଦେଶ (ଗଲଫ୍ କଣ୍ଟି୍ର) ଗୁଡ଼ିକରେ ଏବେ ଭାରତୀୟ ଦ୍ରବ୍ୟ ଏବଂ ଚଳଚ୍ଚିତ୍ର ବର୍ଜନ ପାଇଁ ସୋସିଆଲ୍ ମିଡିଆରେ ଆହ୍ୱାନ କରାଯାଉଥିବା ଦେଖିବାକୁ ମିଳୁଛି । ଓମାନ୍ର ଗ୍ରାଣ୍ଡ୍ ମୁଫ୍ତି ଶେଖ୍ ଅହମ୍ମଦ ବିନ୍ ହମଦ ଅଲ୍ ଖଲିଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେବାପରେ ପଶ୍ଚିମ ଏସିଆରେ ଏହାକୁ ନେଇ ଟ୍ୱିଟର ଝଡ଼ ସୃଷ୍ଟି ହୋଇଛି । ଇରାନ୍, କୁଏତ, କତାର, ଓମାନ, ଆଫଗାନିସ୍ତାନ ମାଲଦ୍ୱୀପ ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ସମନ୍ ଜାରି କରିଛନ୍ତି ।
ଅନ୍ୟପକ୍ଷେ ଭାରତ ସରକାର ଏବେ ଏପ୍ରକାର ପରିସ୍ଥିତିରେ ନିଜକୁ ସାଫ୍ସୁତୁରା ଦର୍ଶାଇବା ପାଇଁ ନୁପୁର ଏବଂ ନବୀନଙ୍କୁ ଦଳରୁ ନିଲମ୍ବିତ କରିଛି । ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ନୁପୁର ଏବଂ ନବୀନଙ୍କ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଚିନ୍ତାଧାରାର ପ୍ରତିଫଳନ ନୁହେଁ ବୋଲି ଭାରତ ସରକାର ଦର୍ଶାଇଛନ୍ତି । ପ୍ରଫେଟ୍ଙ୍କ ସମ୍ପର୍କରେ ଦିଆଯାଇଥିବା ଘୃଣ୍ୟ ମନ୍ତବ୍ୟକୁ ବିଜେପି ସରକାର ତୀବ୍ର ନିନ୍ଦା କରୁଛି ବୋଲି ମଧ୍ୟ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଦର୍ଶାଇଛି । ଭାରତ ସରକାର ସବୁ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦେଇଆସୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ସ୍ପଷ୍ଟ କରିଛନ୍ତି । ଏଥିସହ ୫୭ ଇସଲାମିକ୍ ଦେଶକୁ ନେଇ ଗଠିତ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ (ଓଆଇସି) ମହାସଚିବଙ୍କ ସହ ଏସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ଯଦି ଭାରତ ସହ ଓଆଇସିର ସମ୍ପର୍କ ଖରାପ ହୁଏ ତେବେ ଏହା ଭାରତ ପାଇଁ ନିଶ୍ଚିତ ଭାବେ ବ୍ୟାପକ କ୍ଷତିକାରକ ସାବ୍ୟସ୍ତ ହେବ । ତୈଳ ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ପାଇଁ ଭାରତ ଏସବୁ ଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥିବା ବେଳେ ଭାରତ ସରାକାର କୌଣସି ପ୍ରକାରେ ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିବାରେ ଲାଗିପଡିଛନ୍ତି ।