୪ଠ ଅଭିଯୁକ୍ତଙ୍କ ପୋଷ୍ଟର ଜାରି
କାନପୁର ସାମ୍ପ୍ରଦାୟିକ ହିଂସାକାଣ୍ଡ: ଏସ୍ଆଇଟିକୁ ତଦନ୍ତ ଦାୟିତ୍ୱ
ଲକ୍ଷ୍ନୌ (ଏଜେନ୍ସି): ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ୍କୁ ବିରୋଧ କରିବା ଆଳରେ ଗତ ୩ ତାରିଖରେ କାନ୍ପୁର ଠାରେ ସଂଘଠିତ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ପ୍ରୟାସ ଜାରି ରଖିଛି । ଏହି ମର୍ମରେ ସୋମବାର ଦିନ ୟୁପି ପୁଲିସ୍ ପ୍ରଥମ ଥର ପାଇଁ ୪ଠ ଅଭିଯୁକ୍ତଙ୍କ ଫଟୋ ଥିବା ଏକ ପୋଷ୍ଟର ଜାରି କରିଛି । ଏଥିସହ ଏମାନଙ୍କୁ ଧରିବାରେ ସହଯୋଗ କରିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ୟୁପି ପୁଲିସ୍ ଅପିଲ୍ କରିବା ଦେଖିବାକୁ ମିଳିଛି । ୟୁପି ପୁଲିସ୍ ଅନୁସାରେ ଏସମସ୍ତ ଅଭିଯୁକ୍ତ (ପୋଷ୍ଟରରେ ସ୍ଥାନ ପାଇଥିବା ୪ଠ ଅଭିଯୁକ୍ତ) କାନପୁର ସହରର ନୂଆସଡକ ଅଞ୍ଚଳରେ ହୋଇଥିବା ଦଙ୍ଗାକୁ ଉସୁକାଇବା ତଥା ଭଡକାଇବା ଆଦି ପ୍ରକ୍ରିୟାରେ ସାମିଲ ଥିବା ଜାଣିବାକୁ ମିଳିଛି । ୟୁପି ପୁଲିସ୍ ଏବେ ଏହି ଅଭିଯୁକ୍ତଙ୍କ ପୋଷ୍ଟରକୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରିବା ପୂର୍ବକ ଏମାନଙ୍କୁ ଧରବିାକୁ ଚେଷ୍ଟା କରୁଛି ।
ପ୍ରକାଶ, ହିଂସାକାଣ୍ଡ ସମୟର ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ଏହି ୪ଠ ଅଭିଯୁକ୍ତଙ୍କ ଫଟୋ ଜାରି କରାଯାଇଛି । ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ୍ ପ୍ରତିଶ୍ରୁତି ଦେଇଛି । ସବୁଠୁୂ ବଡ଼ କଥା ହେଉଛି ପୁଲିସ୍ ଏହି ଅଭିଯୁକ୍ତଙ୍କ ଫଟୋ ଜାରି କରିବାର ମାତ୍ର ୩ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ୍କୁ ସୂଚନା ମିଳିଥିବା ଜାଣିବାକୁ ମିଳିଛି । ପ୍ରକାଶ, କାନପୁର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସହ ମୋଟ୍ ୩୮ ଜଣଙ୍କୁ ଗିରଫ କରାଯାଇଛି । ହିଂସାକାଣ୍ଡ ସ୍ଥଳରୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଅ । (ପିଏଫ୍ଆଇ) ଏବଂ ଏସଡିପିଆଇ, ସିଏଫଆଇ ଓ ଆରଆଇଏଫ୍ ଭଳି ଏକାଧିକ ମୁସଲିମ୍ ସଂଗଠନଙ୍କ ଲିଫଲେଟ୍ ମିଳିଥିବା ବେଳେ ଏହି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସନେ୍ଦହ କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଏବେ ଏହି ମାମଲାରେ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏସଆଇଟି ଟିମ୍ ଗଠନ କରାଯାଇଛି ।