ସ୍ୱପ୍ନ-ସଫଳତାରେ ସେତୁ ସ୍କୁଲ୍ ରୂପାନ୍ତର

୫ ଜିଲ୍ଲାର ୪୯ଠ ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ୱର (ବୁ୍ୟରୋ): ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଆମର ପାଠପଢାକୁ ସହଜ କରିଛି । ସଫଳତା ଏବେ ହାତ ମୁଠାରେ ବୋଲି ପିଲାମାନେ କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦ୍ରାପଡାରୁ ଅନନ୍ୟା, କଟକରୁ ସାନିୟା, କଳାହାଣ୍ଡିରୁ ଶିବାନୀ, ଝାରସୁଗୁଡାରୁ ପ୍ରଭାସିନୀ ଓ ବରଗଡରୁ ପରିଣୀତା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟରେ ସ୍କୁଲ ରୂପାନ୍ତର ଦ୍ୱାରା ସଫଳତା ଏବେ ସେମାନଙ୍କ ହାତ ମୁଠାରେ ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ଜିଲ୍ଲାର ୪୯୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକର ୧୩୫ଟି, କଳାହାଣ୍ଡିର ୧୦୦ଟି, ଝାରସୁଗୁଡାର ୭୦ଟି ଓ ବରଗଡର ୯୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ଏହି ଅବସରରେ ପିଲାଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ସ୍କୁଲ ରୂପାନ୍ତର ପିଲାଙ୍କ ସ୍ୱପ୍ନ ଓ ସଫଳତା ମଧ୍ୟରେ ସେତୁ ପରି ହୋଇଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗର ଉପଯୋଗ କରି ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଥିଲେ । ପିଲାଙ୍କୁ ୫-ଟି ମହତ୍ତ୍ୱ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ନବକିଶୋର ଦାସ, ବିଧାୟକ ଧ୍ରୁବ ଚରଣ ସାହୁ, ଦେବୀପ୍ରସାଦ ମିଶ୍ର, ଦେବେଶ ଆଚାର୍ଯ୍ୟ କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *