୨ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ
ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ
ପୁରୀ (ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ ଲାଗି ସୋମବାର ଠାରୁ ଉଚ୍ଛେଦ ପ୍ରକି୍ରୟା ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ ପ୍ରକି୍ରୟା ଆରମ୍ଭ ହୋଇଥିବା ବେଳେ ଏଥିରେ ଜାତୀୟ ରାଜପଥ ବିଭାଗର ଅଧିକାରୀ, ସେସୁର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉଚ୍ଛେଦ ସମୟରେ ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟଙ୍କ ସହ ତାଳବଣିଆ ଥାନାଧିକାରୀ ସୁଜାତା ବେହେରାଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।
ପ୍ରଥମ ପର୍ଯ୍ୟାୟରେ କୁମୁଟିପାଟଣା ତୁଳସୀବିହାର ସମ୍ମୁଖ କୋଠାଠାରୁ ଗୁଣ୍ଡିଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ସମସ୍ତ ଦୋକାନ ଘରକୁ ଜେସିବି ସହାୟତାରେ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ଓଭରବ୍ରିଜ୍ ନିର୍ମାଣ ଲାଗି ସିଦ୍ଧମହାବୀର, କୁମୁଟିପାଟଣା, ମାଟିଆପଡ଼ା ଓ ବାଲୁଖଣ୍ଡର ଚାରୋଟି ମୌଜାର ୧୬୧ ଜଣ ବିସ୍ଥାପିତ ହେବେ । ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷରେ ଭଡ଼ାରେ ଘର ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ କ୍ଷତିପୂରଣ ଅର୍ଥ ମିଳିସାରିଛି । ମାତ୍ର ଆଉ କେତେଜଣ ହାତଗଣତି ବ୍ୟବସାୟୀ ସେମାନଙ୍କ କ୍ଷତିପୂରଣ ପାଇ ନ ଥିବା କହିଛନ୍ତି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଶହେ ବର୍ଗଫୁଟରୁ ଅଧିକ ଇଲାକାରେ ଦୋକାନ ଘର ଥିବା ଦୋକାନୀମାନଙ୍କୁ ୨ଲକ୍ଷ ୨୫ ହଜାର ଓ ଶହେ ବର୍ଗଫୁଟ୍ କମ୍ ଇଲାକାରେ ଥିବା ଦୋକାନୀଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା ଦିଆଯାଇଛି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ । ମାତ୍ର ରେଲ୍ୱ ଓଭରବ୍ରିଜ୍ ନିର୍ମାଣ ପାଇଁ ୨.୬୬ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ରାସ୍ତାର ଲମ୍ବ ୯୦୦ ମିଟର ଓ ଦୁଇ ପାଶ୍ୱର୍ରେ ଆପ୍ରୋଚ ରୋଡ୍ ନିର୍ମାଣ ନିମନ୍ତେ ୮୦ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯାଇଥିବା ଜଣାପଡ଼ିଛି । ସେହିଭଳି ରେଳ ଓଭରବ୍ରିଜ୍ର ଲମ୍ବ ୬୩.୮୪ମିଟର ଥିବା ବେଳେ ଚଉଡ଼ା ରହିଛି ୨୪ ମିଟର । ଏଥିରେ ଦୁଇଟିକିଆ ଆପ୍ରୋଚ୍ ରୋଡ୍ ସହ ଡ୍ରେନେଜ୍ ଓ ଯାତାୟାତ ଲାଗି ରାସ୍ତା ରହିବ । ଫଳରେ ଏହି ବ୍ରିଜ୍ ହେବାଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ ।