ମେଧାଙ୍କୁ ଢିଙ୍କିଆରେ କଡ଼ା ବିରୋଧ

‘ଆମ କଥା ଆମେ ବୁଝିବୁ, ବାହାର ଲୋକଙ୍କୁ ଗାଁ ମନା’
ଜଗତସିଂହପୁର/କୁଜଙ୍ଗ, ୬ା୬ (ଆପ୍ର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ପ୍ରସ୍ତାବିତ ଜେଏସ୍ଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ନର୍ମଦା ବଞ୍ଚାଅ ଆନେ୍ଦାଳର ପୁରୋଧା ମେଧା ପାଟେକରଙ୍କୁ ଢିଙ୍କିଆବାସୀ କଡ଼ା ବିରୋଧ କରିଛନ୍ତି । ଏଥି ସହିତ ମେଧାଙ୍କ ସହ ଭୁବନେଶ୍ୱରରୁ ଆସିଥିବା ତିନି ବିରୋଧୀ ନେତାଙ୍କୁ ମଧ୍ୟ ଗ୍ରାମବାସୀ ବିରୋଧ କରି ଗାଁରେ ପୂରାଇ ଦେଇ ନାହାନ୍ତି । ‘ଆମ କଥା ଆମେ ବୁଝିବୁ, ବାହାର ଲୋକଙ୍କୁ ଗାଁ ମନା’ କହି ଗାଁ ଲୋକେ ସେମାନଙ୍କୁ ଫେରାଇ ଦେଇଛନ୍ତି ।
ଏପରିକି ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ବିଗତ ଦିନରେ ଢିଙ୍କିଆରେ ଅନେକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜିନ୍ଦଲ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିବା ପରେ ୧୪ ଜାନୁଆରୀ ୨୦୨୨ରେ ଅଞ୍ଚଳରେ ପୁଲିସର ଲାଠି ଚାର୍ଜ ଓ ଢିଙ୍କିଆ ସ୍ଥିତି ପରଖିବା ପାଇଁ ବାହାରୁ ଅନେକ ନେତା ଢିଙ୍କିଆ ଗସ୍ତରେ ଆସୁଛନ୍ତି । ଏପରିକି ବିରୋଧର ଶିକାର ହୋଇ ଫେରୁଛନ୍ତି । ତେଣୁ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଓ ଜିନ୍ଦଲ ପ୍ରକଳ୍ପ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ମଧ୍ୟରେ ହ୍ୱିପ୍ ଜାରି ହୋଇଛି ଯେ, ଜିନ୍ଦଲ ପ୍ରକଳ୍ପ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ବାହାର ନେତା ଓ ଜନ ସାଧାରଣଙ୍କୁ ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ । ଠିକ୍ ଏହିପରି ଭାବେ ସୋମବାର ମେଧା ପାଟେକର ଓ ତାଙ୍କ ସହଯୋଗୀ ନେତାମାନଙ୍କୁ ଢିଙ୍କିଆ ମୁଣ୍ଡରୁ ହିଁ ଫେରାଇ ଦିଆ ଯାଇଥିବା ନିର୍ଭୟ ସାମନ୍ତରାୟ, ଅକ୍ଷୟ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି । ସୂଚନା ମୁତାବକ ପୋସ୍କୋ ଆନେ୍ଦାଳନ ସମୟରେ ପୋସ୍କୋ ବିରୋଧୀଙ୍କୁ ଭେଟିବା ସହିତ ଢିଙ୍କିଆ ଗ୍ରାମବାସୀଙ୍କ ସହ ପରିଚିତ ଥିବା ନର୍ମଦା ବଞ୍ଚାଅ ଆନେ୍ଦାଳନର ପୁରୋଧା ମେଧା ପାଟେକର ଓ ଭୁବନେଶ୍ୱରରୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ନେତା ଲିଙ୍ଗରାଜ ଓ ଅନ୍ୟ ୩ଜଣ ନେତା ଜଗତସିଂହପୁର ଗସ୍ତରେ ଆସିଥିଲେ । ପ୍ରଥମେ ଜିଲ୍ଲାର କୁଜଙ୍ଗ ସମାଗୋଳ ଜେଲ୍ରେ ଥିବା ଢିଙ୍କିଆର ଜେଏସ୍ଡବ୍ଲୁ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁ ଓ ଅନ୍ୟମାନଙ୍କୁ ଭେଟି ଆଲୋଚନା କରିବା ପରେ ଢିଙ୍କିଆ ଗସ୍ତ କରି ଗ୍ରାମବାସୀଙ୍କ ସ୍ଥିତି ପରଖିବାକୁ ଯାଇ ଥିଲେ । ହେଲେ ଅଞ୍ଚଳରେ ହ୍ୱିପ୍ ଜାରି ଯୋଗୁ ଢିଙ୍କିଆ ମୁଣ୍ଡରୁ ହିଁ ସେମାନଙ୍କୁ ଫେରାଇ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *