୨ କୋଟିର ବ୍ରାଉନ୍ ସୁଗର ଜବତ: ୩ ଗିରଫ
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀର ଜନଗହଳିପୂର୍ଣ୍ଣ ଏମ୍ସ ନିକଟରେ ପ୍ରାୟ ୨ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯିବା ସହିତ ୩ ଜଣଙ୍କୁ ଏସ୍ଟିଏଫ୍ ଗିରଫ କରିଛି ।
ବ୍ରାଉନ ସୁଗର ବିକ୍ରି ନିମିତ୍ତ ଡିଲ୍ ହେଉଥିବା ସଂପର୍କରେ ଗୋଇନ୍ଦା ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗତ ବିଳମ୍ବିତ ରାତିରେ ଏମ୍ସ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଚଢ଼ଉ କରିଥିଲା । ବ୍ରାଉନ ସୁଗର ବେପାରୀ ଭାଗୀରଥି ଭଟ୍ଟ, ଚନ୍ଦନ ମଳିକ ଓ ବିଶ୍ୱଜିତ ନାୟକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା ।
ଭାଗୀରଥିର ଘର ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଚନ୍ଦନ ଘର ଖଣ୍ଡଗିରି ଓ ବିଶ୍ୱଜିତର ଘର ବାଲିପାଟଣା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ସମସ୍ତଙ୍କୁ କୋର୍ଟ ଚାଲାଣା କରାଯାଇଛି । ଜଳେଶ୍ୱରର ସେକ୍ ସମିରୁଦ୍ଦିନ ନାମକ ଜଣେ ବେପାରୀଠାରୁ ସେମାନେ ବ୍ରାଉନ ସୁଗର ଆଣି ରାଜଧାନୀରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି । ଏ ନେଇ ଅଧିକ ଖୋଳତାଡ଼ ଚାଲିଛି । ଏହି ଘଟଣା ସାଧାରଣରେ ଉଦ୍ବେଗର ବିଷୟ ହୋଇଛି । ଦୁଇଦିନ ପୂର୍ବେ ରାଜଧାନୀରୁ ପ୍ରାୟ ୫ କୋଟି ଟଙ୍କର ବ୍ରାଉନ୍ ସୁଗର ଜବତ କରାଯାଇଥିଲା ।