୨ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ମୋହନା, ୫ା୬ (ଆପ୍ର): ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ମୋହନା ବ୍ଲକ ଅଞ୍ଚଳରେ ବାରମ୍ବାର ହିଂସାକାଣ୍ଡ ଘଟୁଛି । ପ୍ରଶାସନର ଆନ୍ତରିକତାର ଅଭାବରୁ ସରକାରୀ ଜମି ଚିହ୍ନଟ ହୋଇପାରୁନି କି ବାଦ-ବିବାଦ ସମାଧାନର ରାସ୍ତା ଫିଟୁନି ଯଦ୍ୱାରା ବିବାଦ ଉଗ୍ରରୂପ ଧାରଣ କରୁଛି । ରବିବାର ଜିରାଙ୍ଗ ଓ ବାଘମାରି ପଞ୍ଚାୟତରେ ଦୁଇ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ପୁରୁଷ ଓ ମହିଳାଙ୍କ ସମେତ ୨୨ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ମହିଳାଙ୍କୁ ମିଶାଇ ୫ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ପ୍ଲାଟୁନ ପୁଲିସ ସହିତ ଅଡ଼ବା, ଆର୍ ଉଦୟଗିରି ଓ ମୋହନା ଥାନା ଅଧକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଗଜପତି ଏସ୍ପି ଜୟରାମ ଶତପଥି ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଜିରାଙ୍ଗ ପଞ୍ଚାୟତ ବାହାଡ଼ାପଦା (ଆଦିବାସୀ) ଓ ବାଘମାରି ପଞ୍ଚାୟତ ବିଜିପୁର (ଖ୍ରୀଷ୍ଟିୟାନ ପାଣ) ଗ୍ରାମବାସୀଙ୍କ ମଧ୍ୟରେ ସରକାରୀ ଜମି ଜବରଦଖଲକୁ ନେଇ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ଧାରୁଆ ଅସ୍ତ୍ରରେ ପରସ୍ପର ଉପରେ ଆକ୍ରମଣ କରିବାରୁ ୨୨ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାହାଡାପଦା ଗ୍ରାମର କନ୍ଧୁଣୀ ମହାଙ୍କୁଡ (୫୫), ଶ୍ରୀମତୀ ଗୌଡ (୪୨), ତାରିଣୀ ଦଳେଇ (୪୫) ଏବଂ ବିଜିପୁର ଗ୍ରାମର ଜୀବୀନା ବୀର (୫୦) ଓ ଅନୁରି ଲିମା (୪୮) ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତମାନଙ୍କ ମୁଣ୍ଡ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଅନ୍ୟମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ।
ପ୍ରକାଶ ଯେ କିଛିବର୍ଷ ପୂର୍ବେ ବାଘମାରିର ଶିକୁଳିପଦର ଖ୍ରୀଷ୍ଟିୟାନ ସାହିରେ ଗଣ୍ଡଗୋଳ ହେବାରୁ କେତେକ ଲୋକ ବାହାଡାପଦା ଆଦିବାସୀଙ୍କ ଦଖଲରେ ବିଜିପୁରରେ ଥିବା ଜାଗାରେ ଘର କରି ରହିବା ପାଇଁ ଅନୁରୋଧ କରିଥିଲେ । ଗ୍ରାମବାସୀ ସେମାନଙ୍କୁ କିଛି ଜାଗା ଛାଡ଼ିଥିଲେ । କିନ୍ତୁ ପ୍ରତ୍ୟେକ ବର୍ଷ ବାହାଡାପଦା ଲୋକଙ୍କର ବିଜିପୁରରେ ଥିବା ଜମିକୁ ଖ୍ରୀଷ୍ଟିୟାନ ଲୋକେ ଦଖଲ କରିବାରେ ଲାଗିଲେ । ଏ ନେଇ ବାହାଡାପଦା ଗ୍ରାମବାସୀ ତହସିଲଦାର ଓ ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ନୀରବ ରହିଥିଲେ । ରବିବାର ପୂର୍ବାହ୍ନରେ ବାହାଡାପଦାର କେତେକ ଆଦିବାସୀ ନିଜ ଜମି ଚାଷ କରିବାକୁ ଯାଇଥିବା ସମୟରେ ବିଜିପୁର ଲୋକେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଉଭୟପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ, ଅଡ଼ବା ଥାନା ଅଧିକାରୀ ଆନନ୍ଦ ପାତ୍ର, ଆର୍ ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା, ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନାର ଅତିରିକ୍ତ ତହସିଲଦାର ହିମାଂଶୁ ପଲେଇ, ଏକ ୫ ଜଣିଆ ପୁଲିସ ଟିମ୍ ପହଞ୍ଚô ତଦନ୍ତ କରିଛନ୍ତି । ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ତଦନ୍ତ କରିଛନ୍ତି । ପରିସ୍ଥିତି ଉତ୍ତେଜନାପୂଣ୍ଁ ଥିବାରୁ ପୁଲିସ ବାହିନୀକୁ ମୁତୟନ କରାଯାଇଛି । ଗଜପତି ଏସ୍ପି ଜୟରାମ ଶତପଥି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *