ଶୋଭାଯାତ୍ରାରେ ଫେରିଲେ ଦେବ ଦମ୍ପତି

ସମ୍ବଲପୁର (ଆପ୍ର): ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି । ଶନିବାର ମଧ୍ୟ ରାତ୍ରିରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ରବିବାର ବିଳମ୍ବିତ ରାତିରେ ନବ ଦମ୍ପତି ବିରାଟ ଶେଭାଯାତ୍ରାରେ ନଗର ଭ୍ରମଣ ସହିତ ମନ୍ଦିର ଫେରିଛନ୍ତି । ଏଥିପାଇଁ ସହର ଲୋକାରଣ୍ୟ ହୋଇଉଠିଛି ।
ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ବଡ଼ବଜାରର ଶୀତଳେଶ୍ୱର ବାବା ଜଗତ୍ଜନନୀ ମାତା ପାର୍ବତୀଙ୍କ ସହିତ ଶେଭାଯାତ୍ରାରେ ମନ୍ଦିରକୁ ଫେରିଛନ୍ତି । ଏହି ଶୋଭାଯାତ୍ରା ସୋମବାର ପର୍ଯ୍ୟନ୍ତ ଚାଲିବ ଓ ସନ୍ଧ୍ୟାରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ ।
ଗତ ରାତିରେ ରୁଦ୍ର, ନର, ବାନର, ଭୂତ, ପ୍ରେତ ଓ ପିଶାଚ ବରଯାତ୍ରୀ ଭାବେ ଜଗତ ଠାକୁର ଭଗବାନ ଶଙ୍କରଙ୍କ ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମ୍ବଲପୁର ସହରର ପ୍ରମୁଖ ତିନି ଯାତ୍ରା କମିଟି ନନ୍ଦପଡା, ଝାଡୁଆପଡା, ମୁଦିପଡାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବାଜା, ବାଣ, ରୋଶଣିରେ ମହାଦେବ ବରବେଶ ସାଜି ବିଶାଳ ପଟୁଆରରେ ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଆବଶ୍ୟକ ରୀତିନୀତି ସମ୍ପନ୍ନ କରାଯାଇ ବିଳମ୍ବିତ ରାତିରେ ଦେବ ବିବାହ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରେ ଥିବା ପ୍ରାୟ ୧୮ ଶିବାଳୟରେ ଦେବବିଭା ନୀତି ସମ୍ପନ୍ନ କରାଯାଇଥିଲା । ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ରବିବାର ସକାଳୁ ରାତି ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗି ରହିଥିଲା ।
କରୋନା କାରଣରୁ ଦୁଇବର୍ଷ ହେଲା କେବଳ ବିଧିରକ୍ଷା ବିନା ଭକ୍ତରେ ନିରାଡ଼ମ୍ବର ଭାବେ ଶୀତଳଷଷ୍ଠୀ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ପ୍ରତ୍ୟାହାର କରାଯାଇଥିବାରୁ ଦେବ ବିଭା କାର୍ଯ୍ୟକ୍ରମରେ ଚଳିତ ବର୍ଷ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ରକ୍ଷା ନିମିତ୍ତ ସହରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହିତ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି । ସୁରୁଖୁରୁରେ ଶୀତଳଷଷ୍ଠୀ ସମ୍ପନ୍ନ ନିମିତ୍ତ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *