ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ ହ୍ରାସ ପାଇଁ ଆକ୍ସନ୍ ପ୍ଲାନ୍
ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ
ଭୁବନେଶ୍ୱର (ବୁ୍ୟରୋ): ଆଜି ସମଗ୍ର ବିଶ୍ୱରେ ସମସ୍ତ ନେତୃମଣ୍ଡଳୀ, ବିଶେଷଜ୍ଞ ଏବଂ ପ୍ରତ୍ୟେକଙ୍କ ମତରେ ଆଜି ସମୟ ଆସିଛି ପୃଥିବୀର ସୁରକ୍ଷା ପାଇଁ ଏବଂ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରକୃତିର ସୁରକ୍ଷା ପାଇଁ କମୁ୍ୟନିଟି ସ୍ତରରେ ଉଦ୍ୟମ ପ୍ରଶଂସନୀୟ । ଏ ଦିଗରେ ଉଭୟ ବ୍ୟକ୍ତିଗତ ଏବଂ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଶ୍ୱ ପରିବେଶ ଦିବସ-୨୦୨୨ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବିଶ୍ୱ ପରିବେଶ ଦିବସ ପାଳନର ପ୍ରସଙ୍ଗ ରହିଛି ‘ପୃଥିବୀ କେବଳ ଏକ ମାତ୍ର ଜୀବନ ଉପଯୋଗୀ ଗ୍ରହ’ ।
ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ମନୁଷ୍ୟସମାଜକୁ ସୁସ୍ଥ ଓ ସ୍ଥାୟୀ ହେବା ପାଇଁ ପରିବେଶ ସହିତ ଦୀର୍ଘସ୍ଥାୟୀ ସଂପର୍କ ରଖିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇ ପ୍ରକାଶ କରିଛନ୍ତି । ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ହ୍ରାସ କରିବା ପାଇଁ ୨୦୨୧-୩୦ ପର୍ଯ୍ୟନ୍ତ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ଭବିଷ୍ୟତ ବଂଶଧରମାନଙ୍କୁ ପରିବେଶ ସଂରକ୍ଷଣ ବାବଦରେ ସଚେତନ କରିବା ଉଦେ୍ଦଶ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୪,୨୫୦ଟି ଇକୋ-କ୍ଲବ୍ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରାରମ୍ଭରେ ଓଡ଼ିଶା ଜୈବ ବିବିଧତା ବୋର୍ଡ ଅଧ୍ୟକ୍ଷ ରାଜୀବ କୁମାର ସ୍ୱାଗତ ଭାଷଣ ଦେଇଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଦଶକ ସୁଶାନ୍ତ ନନ୍ଦ ଧନ୍ୟବାଦ ଦେଇଥିଲେ । ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁକୁ ନେଇ ବିଭିନ୍ନ ଜିଲ୍ଲାରେ ଥିବା ଇକୋ-କ୍ଲବ୍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ । ସେଣ୍ଟର ଫର ଏନ୍ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ଉପାଦେୟ ପୁସ୍ତକପୁସ୍ତିକା ସହିତ ଇକୋ-କ୍ଲବ୍ର ବାର୍ଷିକ ବିବରଣୀ ଅତିଥିମାନେ ଉନ୍ମୋଚନ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ ଅନୁଷ୍ଠାନ, ସ୍କୁଲ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।