ରାଫାଙ୍କୁ ୨୨ତମ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ

ପ୍ୟାରିସ୍, ୫ା୬ (ଏଜେନ୍ସି): ସ୍ପେନୀୟ ସୁପର୍ଷ୍ଟାର୍ ରାଫେଲ୍ ନାଦାଲ୍ ରବିବାର କ୍ୟାରିଅରର ୨୨ତମ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ହାସଲ କରିଛନ୍ତି । ଫ୍ରେଞ୍ଚ୍ ଓପନ୍ରେ ପୁରୁଷ ଏକକ ଫାଇନାଲ୍ରେ ସେ ନରୱର କାସ୍ପର ରୁଡ୍ଙ୍କୁ ୬-୩, ୬-୩, ୬-୦ ସିଧା ସେଟ୍ରେ ହରାଇଛନ୍ତି । ସେ ରୋଲାଁ ଗାରୋସ୍ରେ ୧୪ତମ ମୁକୁଟ ଜିତିଛନ୍ତି । ଏହାଛଡ଼ା ଏହି ୩୬ବର୍ଷୀୟ ଖେଳାଳି ଏଠାରେ ସର୍ବବରିଷ୍ଠ ବିଜେତା ହୋଇଛନ୍ତି ।
ରୁଡ୍, ନାଦାଲଙ୍କ ଶିଷ୍ୟ । ସେ ୨୦୧୮ରୁ ନାଦାଲଙ୍କ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ତେବେ ଗୁରୁ-ଶିଷ୍ୟ ମୁକାବିଲାରେ ଶିଷ୍ୟ ସହଜରେ ହାରି ଯାଇଥିଲେ । ୩୬ବର୍ଷୀୟ ନାଦାଲ୍ ଓ ୧୯ବର୍ଷୀୟ ରୁଡ୍ଙ୍କ ମଧ୍ୟରେ ମୁକୁଟ ଲଢ଼େଇ ଯେତେ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା, ହେଲା ନାହିଁ । ନାଦାଲ୍ ଫାଇନାଲ୍ର ଶେଷ ୧୧ ଗେମ୍ ଜିତିଥିଲେ । ଏହି ମ୍ୟାଚ୍ ଦୁଇ ଘଣ୍ଟା ୧୮ ମିନିଟ୍ ଧରି ଚାଲିଥିଲା ।
ନାଦାଲ୍ଙ୍କ ପୂର୍ବରୁ ୧୯୭୨ରେ ଆନେ୍ଦ୍ର ଜିମେନୋ ପ୍ୟାରିସ୍ରେ ସର୍ବବରିଷ୍ଠ ବିଜେତା ହୋଇଥିଲେ । ପୁରୁଣା ବ୍ୟାଧି ବାମପାଦ ଯନ୍ତ୍ରଣା ଯୋଗୁଁ ନାଦାଲ୍ ଏଥର ଫ୍ରେଞ୍ଚ୍ ଓପନ୍ ଖେଳିବା ନେଇ ସନେ୍ଦହ ଥିଲା । ହେଲେ ସେ ଖେଳିଲେ ଏବଂ ପୁନର୍ବାର ଲାଲ୍ମାଟିରେ ନିଜ ଆଧିପତ୍ୟ ଦେଖାଇଥିଲେ । ପୂର୍ବ ତିନି ରାଉଣ୍ଡରେ ଫେଲିକ୍ସ ଅଗର-ଆଲିଆସିମେ, ନୋଭାକ୍ ଜୋକୋଭିଚ୍ ଓ ଆଲେକ୍ଜାଣ୍ଡର ଜ୍ୱେରେଭ୍ଙ୍କୁ ହରାଇବା ପାଇଁ ତାଙ୍କୁ ୧୨ ଘଣ୍ଟା ସଂଘର୍ଷ କରିବାକୁ ପଡ଼ିଥିଲା ।
ଫାଇନାଲ୍ରେ ପ୍ରଥମ ସେଟ୍କୁ ସ୍ପେନୀୟ ତାରକା ୪୯ ମିନିଟ୍ରେ ଜିତିଥିଲେ । ଦ୍ୱିତୀୟ ଓ ତୃତୀୟ ଗେମ୍ ଜିତିବା ମଧ୍ୟ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇ ନ ଥିଲା । ରୋଲାଁ ଗାରୋସ୍ରେ ସେ ୧୧୨ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୩ ମ୍ୟାଚ୍ ହାରିଛନ୍ତି ।
ସବୁ ଫାଇନାଲ୍ ଜିତିଛନ୍ତି ନାଦାଲ
ନାଦାଲ୍ ୧୪ତମ ଥର ଫ୍ରେଞ୍ଚ୍ ଓପନ୍ ଫାଇନାଲ୍ ଖେଳିଥିଲେ । ସେ କୌଣସି ଫାଇନାଲ୍ ନ ହାରିବାର ଶୃଙ୍ଖଳା ବଜାୟ ରଖିଛନ୍ତି । ସେ ୨୦୦୫ରେ ପ୍ରଥମ ଥର ଏଠାରେ ବିଜେତା ହୋଇଥିଲେ । ୨୦୦୮ ଯାଏଁ ସେ ଲଗାତାର ଚାରି ଥର ବିଜେତା ହୋଇଥିଲେ । ୨୦୦୯ରେ ସେ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ । ଏହାପରେ ରାଫା ୨୦୧୦ରୁ ୨୦୧୪ ଯାଏଁ ଲଗାତାର ପାଞ୍ଚ ଥର ମୁକୁଟ ଜିତିଥିଲେ । ୨୦୧୫ରେ କ୍ୱାର୍ଟରରେ ତାଙ୍କ ଅଭିଯାନ ଶେଷ ହୋଇଥିଲା । ୨୦୧୬ରେ ଆଘାତଜନିତ କାରଣରୁ ସେ ତୃତୀୟ ରାଉଣ୍ଡରୁ ନାମ ପ୍ରତ୍ୟାହାର କରି ନେଇଥିଲେ । ୨୦୧୭ରୁ ୨୦୨୦ ଯାଏଁ ଲଗାତାର ଚାରି ଥର ସେ ମୁକୁଟ ଉପରେ କବ୍ଜା କରିଥିଲେ । ପୂର୍ବ ବର୍ଷ ୨୦୨୧ରେ ସେ ସେମିଫାଇନାଲ୍ରେ ନୋଭାକ୍ ଜୋକୋଭିଚ୍ଙ୍କ ଠାରୁ ହାରି ଯାଇଥିଲେ ।
ଫେଡ଼େରର୍ ଓ ଜୋକୋଭିଚ୍ ଠାରୁ ଦୁଇ ଗ୍ରାଣ୍ଡ୍ସ୍ଲାମ୍ରେ ଆଗୁଆ
ନାଦାଲ୍ ବିଶ୍ୱର ସର୍ବାଧିକ ଗ୍ରାଣ୍ଡ୍ସ୍ଲାମ୍ ଏକକ ମୁକୁଟ ଜିତିଥିବା ପୁରୁଷ ଖେଳାଳି । ସେ ୨୨ତମ ମୁକୁଟ ଜିତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱିଜରଲାଣ୍ଡର ରୋଜର ଫେଡ଼େରର୍ ଓ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କ ଠାରୁ ଦୁଇଟି ମୁକୁଟରେ ଆଗୁଆ ଅଛନ୍ତି । ଫେଡ଼େରର୍ ଓ ଜୋକୋଭିଚ୍ ଉଭୟ ୨୦ ଲେଖାଏଁ ମେଜର୍ ମୁକୁଟ ଜିତିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *