କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ତାଲା
ଫୁଲବାଣୀ (ବୁ୍ୟରୋ): ଆଦିବାସୀଙ୍କ ପାଇଁ ସରକାରଙ୍କର ଅଜସ୍ର ଦରଦ ଥିବା ଡିଣ୍ଡିମ ପିଟାଯାଉଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଅଲଗା । କଳେବଳେ କୌଶଳେ ନିରିହ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ବିକାଶ ନାମରେ ମିଳେ ଅନେକ ପ୍ରତିଶ୍ରୁତି । ପରବର୍ତ୍ତୀ ସମୟରେ ତାହା ପାଣିଫୋଟକା ପରି ମିଳେଇ ଯାଏ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଲୋକନୃତ୍ୟ ଓ ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ଆଦିବାସୀ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । କନ୍ଧମାଳ ସମେତ ମୟୂରଭଞ୍ଜ, ରାୟଗଡ଼ା, କେଉଁଝର, ମାଲକାନଗିରି, ସୁନ୍ଦରଗଡ଼, ନବରଙ୍ଗପୁର, ଗଜପତି, କୋରାପୁଟ ଭଳି ୧୦ ଜିଲ୍ଲାରେ ୨୦୧୭ ମସିହାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ସେଥିରେ ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାଡର ମାନ୍ୟତା ନେଇ ଦଳୀୟ ଆଦିବାସୀ ନେତାଙ୍କୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଦେବା ସହ ୯ ଜଣିଆ ସଦସ୍ୟ ନିଯୁକ୍ତି କରାଯାଇଥିଲା । ଏଥିରେ ଆଦିବାସୀ ମାନେ ବେଶ ଖୁସି ବ୍ୟକ୍ତି କରିଥିଲେ । ବର୍ଷକୁ ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଲେଖାଏଁ ଜିଲ୍ଲାକୁ ୧୮ କୋଟି ଟଙ୍କା ଅନୁଦାନ ମଧ୍ୟ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟାଳୟ ମଧ୍ୟ ଖୋଲା ଯାଇଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ ୨୫ରେ ପରିଷଦକୁ ଭାଙ୍ଗି ଦେଇଥିଲେ ସରକାର । ତା ପରଠୁ ଏ ଯାଏ ଗତ ୩ ବର୍ଷ ହେଲା ପରିଷଦ ଗଢ଼ି ନାହାନ୍ତି । ଫଳରେ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଅର୍ଥ ଅନୁଦାନ ମଧ୍ୟ ଖର୍ଚ୍ଚ ନ ହୋଇ ପଡ଼ିରହିଛି । ସରକାରଙ୍କ ଉପର ଠାଉରିଆ ଆଦିବାସୀ ବିକାଶର ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଆଗକୁ ସାଧାରଣ ନିର୍ବାଚନ ତେବେ ଆଦିବାସୀଙ୍କ ଉନ୍ନତି ପାଇଁ କେବେ ଏସଡିସି ଗଠନ କରୁଛନ୍ତି ସରକାର ଓ କାହାକୁ ନିଯୁକ୍ତି ଦେଉଛନ୍ତି ତାହା ଦେଖିବାର କଥା ।