କାଶ୍ମୀରକୁ ସମ୍ଭାଳି ପାରିବନି ବିଜେପି

ନୂଆଦିଲ୍ଲୀ (ଏଜେନ୍ସି): ଜମ୍ମୁ-କାଶ୍ମୀରରେ କାଶ୍ମୀର ପଣ୍ଡିତ ତଥା ଅଣ କାଶ୍ମୀରୀ ହିନ୍ଦୁ (ପ୍ରବାସୀ) ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ (ଟାର୍ଗେଟ୍ କିଲିଂ) ବୃଦ୍ଧି ପାଇବାକୁ ନେଇ ଏବେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସିଧାସଳଖ ଟାର୍ଗେଟ୍ କରାଯାଉଛି । ତେବେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିଛି ଆମ୍ ଆଦ୍ମୀ ପାର୍ଟି (ଆପ୍) । ଆପ୍ ପକ୍ଷରୁ ରବିବାର ଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ବିଶାଳ ଜନ ଆକ୍ରୋଶ ରାଲି ଆୟୋଜିତ ହୋଇଯାଇଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ବିଜେପିକୁ ତୀବ୍ର ସମାଲୋଚନା କରିବା ଦେଖିବାକୁ ମିଳିଛି ।
ରାଲିକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ କେଜରିୱାଲ କହିଛନ୍ତି ବିଜେପି କାଶ୍ମୀରକୁ ସମ୍ଭାଳିପାରିବନି । ବିଜେପି ଜମ୍ମୁ କାଶ୍ମୀରରେ କ୍ଷମତାସୀନ ଥିବା ବେଳେ କାଶ୍ମୀର ପଣ୍ଡିତ ଘାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏହାଠାରୁ ପରିତାପର ବିଷୟ ଆଉ କିଛି ହୋଇନପାରେ । କାଶ୍ମୀର ଘାଟିରେ ପୁଣିଥରେ ୧୯୭ଠ ସମୟର ସ୍ଥିତି ଉତ୍ପନ୍ନ ହୋଇଛି । କାଶ୍ମୀରୀ ହିନ୍ଦୁ ତଥା ପଣ୍ଡିତଙ୍କୁ ସୁରକ୍ଷା ଯୋଗାଇଦେବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଯାହାଦ୍ୱାରା ପ୍ରତ୍ୟହ ନୀରିହ ଜନତା ଟାର୍ଗେଟ୍ କିଲିଂର ଶିକାର ହେଉଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦୁଇ ଥର କାଶ୍ମୀର ପଣ୍ଡିତଙ୍କୁ ନିଜ ଅଞ୍ଚଳ ଛାଡି ଅନ୍ୟତ୍ର ଯିବାକୁ ପଡ଼ିଛି । ଆଉ ଏସବୁ ବିଜେପି ଶାସନ କାଳରେ ହୋଇଛି । ସେହିପରି ଗତ ୩ଠବର୍ଷ ମଧ୍ୟରେ ଏପ୍ରକାର ଘଟଣା ଦୁଇଥର ଦେଖିବାକୁ ମିଳିଛି । ସେସମୟରେ ମଧ୍ୟ କାଶ୍ମୀରରେ ବିଜେପି ଶାସନ ରହିଥିଲା । ଏଥିରୁ କାଶ୍ମୀର ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଆଭ୍ୟନ୍ତରୀଣ ସମସ୍ୟାକୁ ସମାଧାନ କରିବା ଦିଗରେ ବିଜେପି ବିଫଳ ହୋଇଥିବା ପ୍ରମାଣ ମିଳୁଛି । ସିଧାଅର୍ଥରେ କହିଲେ କାଶ୍ମୀରକୁ ବିଜେପି ସମ୍ଭାଳିବାରେ ଅସମର୍ଥ । କେଜରିୱାଲ୍ଙ୍କ କହିବାନୁସାରେ ବିଜେପି କେବଳ ଡାର୍ଟି ପଲିଟିକ୍ସ କରିବା ଜାଣିଛି । ତେବେ କାଶ୍ମୀରକୁ ନେଇ ରାଜନୀତି କରିବା ବିଜେପି ବନ୍ଦ କରିବା ଉଚିତ୍ । କାଶ୍ମୀରରେ ଘଟୁଥିବା ନରସଂହାର ପାଇଁ କେନ୍ଦ୍ର ସରକାର ଦେଶବାସୀଙ୍କ ନିକଟରେ ଉତ୍ତରଦାୟୀ ହେବା ଉଚିତ୍ । ଏସବୁକୁ ରୋକିବା ଦିଗରେ ତାଙ୍କ ସରକାର କ’ଣ କାର୍ଯ୍ୟକ୍ରମ (ପ୍ଲାନ୍ ପ୍ରୋଗ୍ରାମ) ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି, ସେସମ୍ପର୍କରେ ଜମ୍ମୁ କାଶ୍ମୀର ଜନତାଙ୍କୁ ମୋଦି ଜଣାଇବା ଉଚିତ୍ । ଏତଦ୍ବ୍ୟତୀତ କାଶ୍ମୀର ପଣ୍ଡିତଙ୍କ ସହ କରାଯାଇଥିବା ଚୁକ୍ତିକୁ (କାଶ୍ମୀର ବାହାରେ କାର୍ଯ୍ୟ କରିପାରିବେ ନାହିଁ) ମଧ୍ୟ ରଦ୍ଦ କରାଯିବା ସହ ଉଚିତ୍ । ସେହିପରି ସେମାନଙ୍କର ସମସ୍ତ ଦାବିକୁ ମଧ୍ୟ କେନ୍ଦ୍ର ସରକାର ପୂରଣ କରିବା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଉଚିତ୍ ।
ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ମଧ୍ୟ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରକୁ ସମାନ ଶବ୍ଦରେ ଭର୍ତ୍ସନା କରିଥିଲେ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସେ ମୂକ-ବଧିର କହି ତାତ୍ସଲ୍ୟ କରିଛନ୍ତି । ନିଜ ରାଜନୈତିକ ମହତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ବିଜେପି କାଶ୍ମୀର ଭଳି ସ୍ୱର୍ଗ ସମାନ ଉପତ୍ୟକାକୁ ନର୍କରେ ପରିଣତ କରିଦେଇଛି । ଆଜି ପର୍ଯ୍ୟନ୍ତ ଏଠାରେ ସ୍କୁଲ-ହସ୍ପିଟାଲ କିଛି ବି କରିନାହିଁ । ସ୍ଥାନୀୟ ଲୋକଙ୍କୁ ମୌଳିକ ସୁଖସୁବିଧାରୁ ମଧ୍ୟ ବଞ୍ଚôତ ରଖିଛି । କାଶ୍ମୀର ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ବେରୋଜଗାରୀ କ୍ଷେତ୍ରରେ ମଧ୍ୟ ବିଜେପି ଆଖି ବୁଜିଦେଇଛି । ପରୋକ୍ଷରେ ଆତଙ୍କବାଦ ଆଳରେ କାଶ୍ମୀର ଘାଟିରେ ନୀରିହ ଜନତାଙ୍କ ରକ୍ତ ବୋହିଛି, ଯେଉଁଥିପାଇଁ ୮ଠ% କାଶ୍ମୀର ନାଗରିକ ଘାଟି ଛାଡି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି । ଆଜି ଯେତେବେଳେ ପୁଣିଥରେ କାଶ୍ମୀର ଭାଇ ଭଉଣୀଙ୍କ ହତ୍ୟା ହେଉଛି, ସେତେବେଳେ ପୁରା ଦେଶ କାଶ୍ମୀର ସହ ଛିଡା ହୋଇଛି ।
ଅନ୍ୟପକ୍ଷେ ପଞ୍ଜାବ ପ୍ରଦେଶ ଆପ୍ ୟୁନିଟ୍ ପକ୍ଷରୁ ମଧ୍ୟ ବିଜେପିକୁ ଅନ୍ୟ ଏକ ପ୍ରସଙ୍ଗରେ ଟାର୍ଗେଟ୍ କରାଯାଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ଛାଡୁଥିବା ନେତାମାନଙ୍କୁ ବିଜେପି ନିଜ ସହ ସାମିଲ କରିନେଉଥିବା ପ୍ରସଙ୍ଗକୁ ଆଧାର କରି ଆପ୍, ବିଜେପିକୁ କଟାକ୍ଷ କରିଛି । କଂଗ୍ରେସ ମୁକ୍ତ ନାରା ଦେଉଥିବା ବିଜେପି ଏବେ କଂଗ୍ରେସ ଯୁକ୍ତ ହୋଇଯାଇଛି ବୋଲି ପଞ୍ଜାବ ଆପ୍ ମୁଖପାତ୍ର ମାଲବିନ୍ଦର ସିଂହ କାଙ୍ଗ୍ କହିଛନ୍ତି । ବିଜେପି ଏବେ ଡବଲ୍ ଷ୍ଟାଣ୍ଡାର୍ଡ଼ ନୀତି ପୋଷଣ କରୁଛି ବୋଲି ସେ କହିଛନ୍ତି । କଂଗ୍ରେସ ଯେଉଁମାନଙ୍କୁ ଅଯୋଗ୍ୟ, ଅଦରକାରୀ ଦର୍ଶାଇ ବିଦା କରିଦେଇଛି, ବିଜେପି ସେହିମାନଙ୍କୁ ଗୋଟାଇ ଆଣି ଦଳରେ ଭର୍ତ୍ତି କରୁଛି । ପ୍ରକାଶ, ଦିନକ ପୂର୍ବେ ପ୍ରଦେଶ କଂଗ୍ରେସର ୪ ବରିଷ୍ଠ ନେତା ଇସ୍ତଫା ଦେବା ସହ ବିଜେପିରେ ସାମିଲ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *