କାର୍ଲସେନ୍ଙ୍କୁ ହରାଇ ଟପ୍ରେ ବିଶ୍ୱନାଥନ୍
ନୂଆଦିଲ୍ଲୀ,୬ା୬ (ଏଜେନ୍ସି): ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ୍ ଆନନ୍ଦ ବିଗତ ଏକ ସପ୍ତାହରେ ବିଶ୍ୱ ଚାମ୍ପିଅନ୍ ମ୍ୟାଗ୍ନୁସ୍ କାର୍ଲସେନ୍ଙ୍କୁ ଦୁଇ ଥର ପରାସ୍ତ କରିସାରିଛନ୍ତି । ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ଏହି ବିଜୟ ସହ ସେ ୧୦ ପଏଣ୍ଟ ହାସଲ କରିଛନ୍ତି । ଏବେ ସେ ଏହି ତାଲିକାର ପ୍ରଥମ ସ୍ଥାନକୁ ପହଞ୍ଚିଯାଇଛନ୍ତି । ସେ କ୍ଲାସିକାଲ୍ ବର୍ଗରେ ପଞ୍ଚମ ପର୍ଯ୍ୟାୟରେ କାର୍ଲସେନ୍ଙ୍କୁ ଆର୍ମଗେଡନ୍ ସହ ୫୦ ଟି୍ରକ୍ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ୩୧ ମେ’ରେ ସେ ଏହି ଟୁର୍ଣ୍ଣାମେଣ୍ଟର ବ୍ଲିଜ୍ ବର୍ଗର ସପ୍ତମ ପର୍ଯ୍ୟାୟରେ ତାଙ୍କ ଠାରୁ ଜିତିଥିଲେ । ନିୟମିତ ୪୦ ଟି୍ରକ୍ରେ ଡ୍ର’ ପରେ କ୍ଲାସିକାଲ୍ ବର୍ଗର ଏହି ମ୍ୟାଚ୍ରେ ଆର୍ମଗେଡନ୍ ଖେଳାଯାଇଥିଲା । କ୍ଲାସିକାଲ୍ ବର୍ଗରେ ମ୍ୟାଚ୍ ଡ୍ର’ ହେବା ପରେ ଖେଳାଳିଙ୍କୁ ଆର୍ମଗେଡନ୍ ଖେଳିବାକୁ ପଡ଼ିଥାଏ ।
କ୍ଲାସିକାଲ୍ ବର୍ଗର ଆରମ୍ଭରେ ଆନନ୍ଦ ଫ୍ରାନ୍ସର ମ୍ୟାକ୍ସିମ୍ ଭାଚିୟେର ଲାଗ୍ରେଭ୍, ବୁଲ୍ଗେରିଆର ଭେସେଲିନ୍ ଟୋପାଲୋଭ ଏବଂ ଚୀନ୍ର ହାଓ ବ୍ୟାଙ୍ଗ୍ଙ୍କ ଠାରୁ ଲଗାତାର ତିନିଟି ପର୍ଯ୍ୟାୟରେ ଜିତିଥିଲେ । ସେହିଭଳି ଚତୁର୍ଥ ପର୍ଯ୍ୟାୟରେ ତାଙ୍କୁ ଆମେରିକାର ଭିଜଲୀ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ଇଥିଲା । କାର୍ଲସେନ୍ ୯.୫ ପଏଣ୍ଟ ସହ ଏବେ ବି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନେଦରଲାଣ୍ଡର ଅନୀଶ ଗିରୀଙ୍କ ଠାରୁ ଜିତି ୩ ପଏଣ୍ଟ ହାସଲ କରିଥିଲେ । ଏହାପରେ ଆନନ୍ଦଙ୍କ ଠାରୁ ହାରି ଦ୍ୱିତୀୟ ସ୍ଥାନକୁ ଖସିଯାଇଛନ୍ତି । ଟୁର୍ଣ୍ଣାମେଣ୍ଟର କ୍ଲାସିକାଲ୍ ବର୍ଗରେ ଆଉ ୪ଟି ପର୍ଯ୍ୟାୟ ବାକି ଅଛି ।
୫ ଥର ବିଶ୍ୱ ଚାମ୍ପିଅନ୍ ଆନନ୍ଦ ଘରୋଇ ଖେଳାଳି ଆର୍ୟନ୍ ତିୱାରୀଙ୍କୁ ହରାଇ ନର୍ୱେ ଚେସ୍ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଚେସ୍ର ସବୁଠୁ ସଫଳ ଖେଳାଳିମାନେ ସାମିଲ୍ ହୋଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଚେସ୍ ଅଲମ୍ପିଆଡ୍ ଦୃଷ୍ଟିରୁ ଆନନ୍ଦଙ୍କ ବିଜୟ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସୂଚନାଯୋଗ୍ୟ, ୨୮ ଜୁଲାଇସରୁ ୧୦ ଅଗଷ୍ଟ ଯାଏଁ ତାମିଲନାଡ଼ୁର ମହାବଳୀପୁରମ୍ରେ ୪୪ତମ ଚେସ୍ ଅଲମ୍ପିଆଡ୍ ଅନୁଷ୍ଠିତ ହେବ । ଏଯାଏଁ ଏଥିପାଇଁ ଓପନ୍ କାଟାଗରୀରେ ୩୪୩ ଏବଂ ମହିଳା ବର୍ଗରେ ୧୮୭ ଦେଶର ଖେଳାଳି ପଞ୍ଜିକରଣ କରିସାରିଲେଣି ।
ହୋଇପାରନ୍ତି ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ ଉପାଧ୍ୟକ୍ଷ
ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ ଉପାଧ୍ୟକ୍ଷ ପଦବୀ ପାଇଁ ଭାରତୀୟ ଚେସ୍ ଫେଡେରେସନ୍ ସର୍ବସମ୍ମତି କ୍ରମେ ବିଶ୍ୱନାଥନ୍ ଆନନ୍ଦଙ୍କୁ ମନୋନୀତ କରିଛି । ଏବେ ସେ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ର ଅଧ୍ୟକ୍ଷ ଆର୍କେଡି ଡ୍ୱବୋର୍କୋଭିଚ୍ଙ୍କ ଦଳର ସଦସ୍ୟ ହେବା ପାଇଁ ଦାବିଦାର ହୋଇପାରନ୍ତି । ଭାରତୀୟ ଚେସ୍ ଫେଡେରେସନ୍ର ନବନିର୍ବାଚିତ ଅଧ୍ୟକ୍ଷ ବିପନେଶ ଭରଦ୍ୱାଜ ଏହି ପ୍ରସଙ୍ଗରେ କହିଥିଲେ ଯେ, ପୂର୍ବତନ ସଚିବ ଭରତ ସିଂହ ଚୌହାନ ସବୁବେଳେ ଆନନ୍ଦଙ୍କୁ ଏଥିପାଇଁ ପ୍ରାଥମିକତା ପୂର୍ବକ ସମର୍ଥନ କରିଛନ୍ତି । ତେବେ ଫେଡେରେସନ୍ ନିୟମ ଅନୁସାରେ, ଗୋଟିଏ ଦେଶ କେବଳ ଜଣେ ବ୍ୟକ୍ତିଙ୍କୁ ନାମିତ କରିପାରିବ ।