୪୯ ମୃତ, ୪୫ ଆହତ
ବାଂଲା କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ
ଢାକା (ଏଜେନ୍ସି): ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଘରୋଇ କଣ୍ଟେନର ଡିପୋରେ ଶନିବାର ରାତିରେ ବିସ୍ଫୋରଣ ପରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪୯ଜଣ ଲୋକଙ୍କ ମୃତୁ୍ୟ ହୋଇଛି ଏବଂ ୪୫୦ରୁ ଅଧିକ ଆହତ ହୋଇଛନ୍ତି । ବନ୍ଦରନଗରୀ ଚଟ୍ଟଗ୍ରାମଠାରୁ ୪୦କିମି ଦୂର ସୀତାକୁଣ୍ଡସ୍ଥିତ ବିଏନ୍ କଣ୍ଟେନର ଡିପୋରେ ଆକସ୍ମିକ ବିସ୍ଫୋରଣ ପରେ ପରେ ଅଗ୍ନିକାଣ୍ଡ ଘଟିଥିଲା । ତାହା ଏତେ ଭୟାନକ ଥିଲା ଯେ ନିଅାଁ ଲିଭାଇବା ବେଳେ ଦମକଳ ବିଭାଗର ୫ଜଣ କର୍ମଚାରୀ ଅଗ୍ନିବଳୟରେ ପଡ଼ି ପ୍ରାଣ ହରାଇଥିଲେ । ଅନ୍ୟ ୧୫ଜଣ ଦମକଳ କର୍ମଚାରୀ ଆହତ ହୋଇଥିଲେ । ୨କର୍ମଚାରୀଙ୍କ ପତ୍ତା ମିଳୁ ନାହିଁ । ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୩୫୦ଜଣଙ୍କୁ ସ୍ଥାନୀୟ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଜନୈକ ପୁଲିସ୍ ଅଧିକାରୀ କହିଛନ୍ତି ଡିପୋରେ ରଖାଯାଇଥିବା ରାସାୟନିକ ଦ୍ରବ୍ୟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।