ଜରାଜୀର୍ଣ୍ଣ ଅବସ୍ଥାରେ ଗୁହାଳିଆ ଅଙ୍ଗନୱାଡ଼ି କେନ୍ଦ୍ର
ଆନନ୍ଦପୁର (ଆପ୍ର): ବିଭିନ୍ନ ସ୍କୁଲ୍ ଓ ଅଙ୍ଗନୱାଡି କେନ୍ଦ୍ରକୁ ରୂପାନ୍ତରିତ କରାଯାଉଥିବା ବେଳେ ଗୁହାଳିଆ ଅଙ୍ଗନୱାଡି କେନ୍ଦ୍ରକୁ କାହିଁକି ଅଣଦେଖା କରାଯାଉଛି ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମରେ ଦୀର୍ଘଦିନ ହେବ ଅଙ୍ଗନୱାଡି ଗୃହ ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏହି କେନ୍ଦ୍ର ୪୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଛାତ ଓ କାନ୍ଥରୁ ସିମେଣ୍ଟ ଖସୁଛି । ଏପରି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ଲୋକଙ୍କ ଅନୁମତି କ୍ରମେ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ହେଲା ପାଠପଢ଼ା ଚାଲୁ ରହିଥିବା ବେଳେ ସେ ସ୍କୁଲ୍ରେ ମଧ୍ୟ ଛାତରୁ ସିମେଣ୍ଟ ଖସୁଥିବା ଦେଖି ଅଙ୍ଗନୱାଡ଼ି କର୍ମୀ ସ୍କୁଲ ବାହାରେ ଖରା ବର୍ଷାରେ ଛୋଟ ଛୋଟ ଛୁଆଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି ।
ବର୍ଷା ହେଲେ ଦିଦିଙ୍କ ଛଡ଼ା ଅଙ୍ଗନୱାଡ଼ି କେନ୍ଦ୍ରକୁ କୌଣସି ଛାତ୍ରଛାତ୍ରୀ ଆସୁ ନ ଥିବା ବେଳେ ପାଠପଢ଼ା ସମୟରେ ବର୍ଷା ହେଲେ ସମସ୍ତେ ବର୍ଷାରେ ଭିଜି ଘରକୁ ଫେରୁଛନ୍ତି । ରୋଷେଇ ଘର ନ ଥିବାରୁ ସ୍କୁଲ ବାରଣ୍ଡାରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି । ଏ ବିଷୟରେ ସରପଞ୍ଚ, ବିଡିଓ ଏବଂ ବିଭାଗୀୟ ସିଡିପିଓଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଙ୍ଗନୱାଡି ଦିଦି ତିଳୋତ୍ତମା ଜେନା ଏବଂ ଗ୍ରାମବାସୀ ଜୟନ୍ତୀ ଜେନା, ସଦାନନ୍ଦ ଜେନା, ସୁଶାନ୍ତ ଜେନା, ବିଚିତ୍ର ଜେନା, ଜିତେନ୍ଦ୍ର ଜେନା ଏବଂ ଅନ୍ୟମାନେ ଗଣମାଧ୍ୟମରେ ସମ୍ମୁଖରେ ଅଭିଯୋଗ କରିଛନ୍ତି । ପ୍ରଶାସନ ଦୃଷ୍ଟିଦେଇ ଅଙ୍ଗନୱାଡ଼ି ଗୃହ ନିର୍ମାଣ ଦେବାକୁ ସାଧାରଣରେ ଦାବି ହୋଇଛି ।