ନବୀନଙ୍କ ନୂଆ ଟିମ୍

ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର,୪ା୬(ବୁ୍ୟରୋ): ବିଜେଡି ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହେ ନ ପୂରୁଣୁ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମନ୍ତ୍ରିମଣ୍ଡଳର ନୂଆ ଟିମ୍ର ଶପଥଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଥିବାବେଳେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟାରେ ଫୋନ୍ କରିଛନ୍ତି । ଏହାସହ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ୨୧ ସଦସ୍ୟ ସାମିଲ୍ ହୋଇପାରନ୍ତି ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନାନୁସାରେ, ରବିବାର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ରେ ପୂର୍ବାହ୍ନ ୧୧ଟା୪୫ ମିନିଟ୍ରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବେ । ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ସମସ୍ତ ବିଧାୟକଙ୍କୁ ହେଡ୍କ୍ୱାର୍ଟର ନଛାଡ଼ିବାକୁ ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଫୋନ୍‌ ମାଧ୍ୟମରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।
ନୂଆ ମନ୍ତ୍ରୀମଣ୍ଡଳରେ ୨୧ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୩ ଜଣଙ୍କୁ କ୍ୟାବିନେଟ୍ ଏବଂ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ନେଇ କୁହାଯାଉଛି । କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ହେବାକୁ ଥିବା ତାଲିକାରେ ଅନେକ ନୂଆ-ପୁରୁଣା ମୁହଁ ଥିବାବେଳେ ନୂଆଟିମ୍ରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ମହିଳା ଚେହେରା ସାମିଲ୍ ହୋଇପାରନ୍ତି । ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଟୁକୁନି ସାହୁଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ କୁହାଯାଉଥିବାବେଳେ ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମ୍ ରାଷ୍ଟ୍ରମନ୍ତ୍ରୀ ହେବାର ସମ୍ଭାବନା ରହିଛି । ୮ ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇବେ । ଅନ୍ୟ ୧୩ଜଣ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି । ପ୍ରଥମ ଥର ପାଇଁ ୭ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । ନୂଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ ଓ ଯୁବବର୍ଗ ମଧ୍ୟରେ ସମତୁଲ ରଖିବାକୁ ଚେଷ୍ଟା କରାଯାଇଥିବାବେଳେ ସବୁ ଅଞ୍ଚଳରୁ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦିଆଯାଇଛି । ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଓ ଅରୁଣ ସାହୁଙ୍କ ସମେତ ମୋଟ୍ ୧୨ ଜଣ ମନ୍ତ୍ରୀଙ୍କୁ ନୂଆଟିମ୍ରୁ ବାଦ୍ ଦିଆଯାଇଥିବା ସୂଚନା ରହିଛି ।
ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଅଛନ୍ତି, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଏବଂ ରାଜେନ୍ଦ୍ର ଢୋଲକିଆ । ସେହିପରି ଯେଉଁ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ସମ୍ଭାବନା ରହିଛି, ସେମାନେ ହେଉଛନ୍ତି- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଏବଂ ବାସନ୍ତି ହେମ୍ବ୍ରମ୍ । ମନ୍ତ୍ରିମଣ୍ଡଳରେ ୧୨ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି । ସେମାନେ ହେଲେ- ପ୍ରମିଳା ମଲ୍ଲିକ, ଉଷା ଦେବୀ, ରାଜେନ୍ଦ୍ର ଢୋଲକିଆ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ରୀତା ସାହୁ ଏବଂ ବାସନ୍ତି ହେମ୍ବ୍ରମ୍ । ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାକୁ ଥିବା ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଶନିବାର ସନ୍ଧ୍ୟାରେ ଫୋନ୍ କଲ୍ ଯାଇଥିଲା ।
କାହାକୁ କେଉଁ ବିଭାଗ ମିଳିବ, ସେକଥା ଏଯାଏ ଜଣାପଡ଼ିନି । ରବିବାର ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ସହ ବିଭାଗ ମଧ୍ୟ ବଣ୍ଟନ ହେବ । ତେବେ ନୂଆ ମନ୍ତ୍ରିମଣ୍ଡଳରେ ନବୀନ ବିବାଦୀୟ ନେତାମାନଙ୍କୁ ବାଦ୍‌ ଦେଇ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ତେବେ ଗଠନ ହେବାକୁ ଥିବା ନୂତନ ମନ୍ତ୍ରୀମଣ୍ଡଳରେ ଟୁକୁନି ସାହୁ, ସମୀର ଦାଶ, ନବ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ ମଲ୍ଲିକ ପ୍ରମୁଖ ସେମାନଙ୍କ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ସେହିଭଳି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଦୀପ ଅମାତ ପ୍ରମୁଖ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ଭଞ୍ଜନଗର ବିଧାୟକ ତଥା ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାର ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *