ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଜାତୀୟ ସମ୍ମିଳନୀ ଉଦ୍ୟାପିତ
ଭୁବନେଶ୍ୱର (ବୁ୍ୟରୋ): ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରିଷଦର ପ୍ରଫେସନାଲ୍ ଡେଭଲପ୍ମେଣ୍ଟ କମିଟି ଦ୍ୱାରା ଆୟୋଜିତ ଓ କଟକ ଶାଖା ଦ୍ୱାରା ପରିଚାଳିତ ଦୁଇଦିନିଆ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି । ଶୁକ୍ରବାର ଏହି ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରିଥିଲେ । ପାହାଳସ୍ଥିତ ପାଲ୍ ହାଇଟ୍ସ ମନ୍ତ୍ରାଠାରେ ଆୟୋଜିତ ଏହି ସମ୍ମିଳନୀରେ ଦେଶ ଗଠନରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା ।
ଶନିବାର ଜିଏସ୍ଟି ଆଇନ ଓ ଏହାର ବର୍ତ୍ତମାନ ପରିସ୍ଥିତି, କ୍ଷୁଦ୍ର ଓ ବୃହତ୍ ଶିଳ୍ପ ପାଇଁ ଶିଳ୍ପନୀତି, ନୂତନ ଯାନ୍ତ୍ରିକ ବିଜ୍ଞାନର ବ୍ୟବହାର ଓ ବିତ୍ତ ବିବରଣୀରେ ଅନିୟମିତତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏଥିରେ ଆଲୋଚକ ଭାବେ ସ୍ୱତନ୍ତ୍ର ଜିଏସ୍ଟି କମିଶନର ପ୍ରମୋଦ କୁମାର ମହାନ୍ତି, ଦିଲ୍ଲୀର ରୋହିନୀ ଅଗ୍ରୱାଲ୍, ସୌର୍ଯ୍ୟ ପ୍ରକାଶ ମହାପାତ୍ର, ଡକ୍ଟର ସଚ୍ଚିକାନ୍ତ କର, ପୂର୍ବାଞ୍ଚଳ ପରିଷଦର ସମ୍ପାଦକ ସଞ୍ଜୀବ ସାନଘୀ, ବେଙ୍ଗାଲୁରର ଗୁରୁପ୍ରସାଦ, ନାଲ୍କୋର ଭରତ କୁମାର ସାହୁ, ଚେନ୍ନାଇର ଏମ୍.ପି.ବିଜୟ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଶାଖା ତରଫରୁ ସଭାପତି ରାକେଶ ପାତ୍ର ଓ ପରିଚାଳନା କମିଟିର ସଭାପତି ଲଲାଟେନ୍ଦୁ ସାହୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।